ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିମଧ୍ୟରୁ ‘ଯଶୋଦା’ ଯୋଜନା ଏବଂ ଏହାର ଉପଯୋଜନା ‘ଆଶୀର୍ବାଦ’କୁ ଜାରି ରଖିବା ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ।

ଚଳିତ ଆର୍ଥିକ ବର୍ଷଠାରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଦୁଇ ଯୋଜନା ପାଇଁ ୨୯୬.୯୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବାପା-ମା’ଙ୍କୁ ହରାଇଥିବା ଶିଶୁମାନଙ୍କୁ ମାର୍ଚ୍ଚ ମାସରୁ ସହାୟତା ରାଶି ମିଳୁନଥିବା ନେଇ ସରକାର ସମାଲୋଚିତ ହୋଇଥିଲେ। କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ପରେ ସହାୟତା ପ୍ରଦାନରେ ଦେଖାଦେଇଥିବା ଅଚଳାବସ୍ଥା ଦୂର ହେବା ଆଶା କରାଯାଉଛି।

ଅନାଥ ଶିଶୁଙ୍କ ପାଇଁ ‘ଯଶୋଦା’

ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ‘ଯଶୋଦା’ ଯୋଜନା ଚାଲୁ ରହିବ। କଠିନ ପରିସ୍ଥିତିରେ ଥିବା ଶିଶୁଙ୍କ ସୁରକ୍ଷା, ଯତ୍ନ, ପୁନର୍ବାସ ଓ ସର୍ବାଙ୍ଗୀନ ବିକାଶ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।

ଏହା ଅଧୀନରେ ବୈଷୟିକ ଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କୋଚିଂ, ବୃତ୍ତି, ସୁକନ୍ୟା ସମୃଦ୍ଧି ସହାୟତା ଏବଂ ବିବାହ ପାଇଁ ଆର୍ଥିକ ସହାୟତା ଭଳି ବ୍ୟବସ୍ଥା ରହିଛି। ଏଥିସହ ଅନାଥ ଶିଶୁଙ୍କ ସର୍ଭେ ଓ ଅନାଥ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି।

‘ଆଶୀର୍ବାଦ’ ଯୋଜନା ମଧ୍ୟ ଜାରି

‘ଯଶୋଦା’ ଅଧୀନରେ ‘ଆଶୀର୍ବାଦ’ ଉପଯୋଜନା ଭାବେ କାର୍ଯ୍ୟକାରୀ ହେଉଛି। କୋଭିଡ୍‌ ମହାମାରୀ ସମୟରେ ଉଭୟ ପିତାମାତା କିମ୍ବା ପରିବାରର ଏକମାତ୍ର ରୋଜଗାରିଆ ପିତା ବା ମା’ଙ୍କୁ ହରାଇଥିବା ଶିଶୁଙ୍କୁ ଡିବିଟି ମାଧ୍ୟମରେ ମାସିକ ଆର୍ଥିକ ସହାୟତା ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି।

ପ୍ରାକ୍‌-ବିଦ୍ୟାଳୟ ପିଲାଙ୍କ ପୋଷାକ ପାଇଁ ୫୮୬ କୋଟି

କ୍ୟାବିନେଟ୍‌ ‘ମାଳତୀ ଦେବୀ ପ୍ରାକ୍‌-ବିଦ୍ୟାଳୟ ପରିଧାନ’ ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ଜାରି ରଖିବାକୁ ମଧ୍ୟ ଅନୁମୋଦନ ଦେଇଛି।

ଅଙ୍ଗନବାଡ଼ି କେନ୍ଦ୍ରରେ ପଢୁଥିବା ପ୍ରାକ୍‌-ସ୍କୁଲ୍‌ ପିଲାଙ୍କ ପାଇଁ ପୋଷାକ, ଜୋତା, ମୋଜା ଓ ସ୍ୱେଟରର ମୂଲ୍ୟ ସଂଶୋଧନ କରାଯାଇଛି। ଏହା ସହ ପ୍ରତ୍ୟେକ ପିଲାଙ୍କୁ ଅତିରିକ୍ତ ଗୋଟିଏ ହଳ ମୋଜା ଦିଆଯିବ।

ସଂଶୋଧିତ ଦର ଅନୁସାରେ—

  • ବାଳକଙ୍କୁ ଦୁଇ ହଳ ପୋଷାକ ପାଇଁ ହଳ ପିଛା ୧୭୫ ଟଙ୍କା
  • ବାଳିକାଙ୍କୁ ଦୁଇ ହଳ ପୋଷାକ ପାଇଁ ହଳ ପିଛା ୨୨୫ ଟଙ୍କା
  • ଗୋଟିଏ ହଳ ଜୋତା ଓ ଦୁଇ ହଳ ମୋଜା ପାଇଁ ୧୮୦ ଟଙ୍କା
  • ସ୍ୱେଟର ପାଇଁ ୨୦୦ ଟଙ୍କା

ପ୍ରଦାନ କରାଯିବ। ଏହି ଯୋଜନାରେ ପ୍ରତିବର୍ଷ ପ୍ରାୟ ୧୪.୭୬ ଲକ୍ଷ ୩ରୁ ୬ ବର୍ଷ ବୟସର ପିଲା ଉପକୃତ ହେବେ। ପାଞ୍ଚ ବର୍ଷରେ ସରକାର ୫୮୬ କୋଟି ୫୦ ଲକ୍ଷ ୭୫ ହଜାର ୪୮୦ ଟଙ୍କା ଖର୍ଚ୍ଚ କରିବେ।

ଏଗ୍ରିଷ୍ଟାକ୍‌ ନେଇ ଚାଷୀଙ୍କୁ ଆଶ୍ୱାସନ

ଏଗ୍ରିଷ୍ଟାକ୍‌ରେ ପଞ୍ଜୀକରଣକୁ ନେଇ ଚାଷୀମାନେ ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ପଷ୍ଟ କରିଛନ୍ତି।

ଏଗ୍ରିଷ୍ଟାକ୍‌ରେ ପଞ୍ଜୀକରଣ ଏବଂ ପି-ପାସ୍‌ ମାଧ୍ୟମରେ ଧାନ କିଣିବା ପାଇଁ ପଞ୍ଜୀକରଣ ପରସ୍ପର ସଂଯୁକ୍ତ ନୁହେଁ। ତେଣୁ ଏଗ୍ରିଷ୍ଟାକ୍‌ରେ ପଞ୍ଜୀକରଣ ହୋଇନଥିଲେ ମଧ୍ୟ ଚାଷୀଙ୍କ ଧାନ କିଣା ପ୍ରଭାବିତ ହେବ ନାହିଁ। ଚଳିତ ବର୍ଷ ମଧ୍ୟ ପୂର୍ବବର୍ଷ ଭଳି ପି-ପାସ୍‌ ବ୍ୟବସ୍ଥାରେ ଧାନକ୍ରୟ ପାଇଁ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ।