ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗାରୋଇ ଛକ ନିକଟରେ କୃଷି ବିଭାଗ, ନାଉଗାଁ ତହସିଲଦାର, ବ୍ଲକ କୃଷି ବିଭାଗ ଓ ନାଉଗାଁ ଥାନା ପୋଲିସର ମିଳିତ ଟିମ୍ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ନାମକୁ ମାତ୍ର ପାନ ଦୋକାନ ଆଢ଼ୁଆଳରେ ଦୀର୍ଘ ବର୍ଷ ଧରି ଚାଲିଥିବା ସାର କଳାବଜାରୀର ପରଦାଫାଶ ହୋଇଛି।
ପାନ ଦୋକାନ ଆଢ଼ୁଆଳରେ ଚାଲିଥିଲା ସୋରୁମ୍
ଗାରୋଇ ଫାଣ୍ଡି ଅନ୍ତର୍ଗତ ଡାହାଣୀଖିଆ ଗ୍ରାମର ତାରକ ସାହୁ ନାମକ ଜଣେ ବ୍ୟବସାୟୀ ଗାରୋଇ ଛକରେ ଏକ ଛୋଟ ପାନ ଦୋକାନ କରି ତାହା ଭିତରେ ଓ ନିଜ ଘରେ ସାରର ଗୋଦାମ ଖୋଲିଥିଲେ। ମିଳିତ ଚଢ଼ାଉ ସମୟରେ ତାଙ୍କ ଦୋକାନ ଓ ଘରୁ ୧୯୦ ବସ୍ତାରୁ ଊର୍ଦ୍ଧ୍ୱ ଅଣସ୍ୱୀକୃତିପ୍ରାପ୍ତ ରାସାୟନିକ ସାର ଜବତ କରାଯାଇଛି।
ସାର ଅଭାବର ସୁଯୋଗ ନେଉଛନ୍ତି ମାଫିଆ
ଚଳିତ ଖରିଫ୍ ଋତୁରେ ନାଉଗାଁ ବ୍ଲକର ପ୍ରାୟ ୭,୫୪୫ ହେକ୍ଟର ଜମିରେ ଧାନ ଚାଷ କରାଯାଉଛି। ତେବେ ବ୍ଲକରେ ଥିବା ୬ଟି ପ୍ରାଥମିକ କୃଷି ସେବା ସମବାୟ ସମିତି (PACS)କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସାରର ପରିମାଣ ଆବଶ୍ୟକତା ତୁଳନାରେ ସମୁଦ୍ରକୁ ଶଙ୍ଖେ ସଦୃଶ। ଏହାର ସୁଯୋଗ ନେଇ କଳାବଜାରୀ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି।
ଗତ ୨ ତାରିଖରେ ମଧ୍ୟ ଶିଖରଘାଟ ପଟୁ ଆସୁଥିବା ଏକ ପିକଅପ୍ ଭ୍ୟାନରୁ ୫୬ ବସ୍ତା ଚୋରା ସାର ପୋଲିସ ଜବତ କରିଥିଲା।
ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନବାଚୀ
ବିନା କୌଣସି ସରକାରୀ ସ୍ୱୀକୃତିରେ ଜିଲ୍ଲା ବାହାରୁ ଆସୁଥିବା ଏହି ସାରର ମାନ କିପରି ଏବଂ ଏହା ବ୍ୟବହାର ଉପଯୋଗୀ କି ନୁହେଁ, ସେନେଇ ଚାଷୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। କାହା ଛତ୍ରଛାୟାରେ ଏତେ ପରିମାଣର ଚୋରା ସାର ବିକ୍ରି ଚାଲିଥିଲା ଏବଂ କୃଷି ଓ ଯୋଗାଣ ବିଭାଗ କିପରି ଦୀର୍ଘ ଦିନ ଧରି ନୀରବଦ୍ରଷ୍ଟା ସାଜିଥିଲେ, ତାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।




