ମୁମ୍ବାଇ: ମହାରାଷ୍ଟ୍ର ସରକାର ରାଜ୍ୟରେ ଚାଲୁଥିବା ସମସ୍ତ କ୍ୟାବ୍, ଟ୍ୟାକ୍ସି ଏବଂ ଅଟୋ-ରିକ୍ସା ଡ୍ରାଇଭରମାନଙ୍କ ପାଇଁ ମରାଠୀ ଭାଷାରେ କଥାବାର୍ତ୍ତା କରିବାକୁ ବାଧ୍ୟତାମୂଳକ କରିଛନ୍ତି। ଆଜି ଅଗଷ୍ଟ ୧୫ ତାରିଖରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଥିବା ବେଳେ, ଏହାକୁ ଅମାନ୍ୟ କରୁଥିବା ଡ୍ରାଇଭରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ ସୂଚନା ଦେଇଛନ୍ତି।
୧୦୫ ଦିନର ସମୟସୀମା ଶେଷ
ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ ପ୍ରକାଶ କରିଛନ୍ତି ଯେ, ୧୯୮୯ ମସିହାରେ ସାର୍ବଜନୀନ ପରିବହନ ଡ୍ରାଇଭରଙ୍କ ପାଇଁ ମରାଠୀ ଭାଷା ଜ୍ଞାନ ବାଧ୍ୟତାମୂଳକ କରାଯାଇଥିବା ବିଜ୍ଞପ୍ତିକୁ ୨୦୨୬ ମେ’ ୧ ତାରିଖରେ ପୁନଃ ଜାରି କରାଯାଇଥିଲା। ଏହି ନିୟମ ଅନୁସାରେ ଅଣ-ମରାଠୀ ଡ୍ରାଇଭରମାନଙ୍କୁ ଭାଷା ଶିଖିବା ପାଇଁ ୧୦୫ ଦିନର ସମୟ ପ୍ରଦାନ କରାଯାଇଥିଲା।
“ଆମେ ଆଶା କରୁଛୁ ଯେ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ଟ୍ୟାକ୍ସି ଓ ଅଟୋ ଡ୍ରାଇଭରମାନେ ମରାଠୀ ଶିଖିସାରିଛନ୍ତି ଏବଂ ଯାତ୍ରୀମାନଙ୍କ ସହ ମରାଠୀରେ କଥାବାର୍ତ୍ତା ହେବା ପାଇଁ ପ୍ରସ୍ତୁତ ଅଛନ୍ତି,” ବୋଲି ମନ୍ତ୍ରୀ କହିଛନ୍ତି। ସମୟସୀମା ଶେଷ ହେବା ପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଗୁଡ଼ିକ ଅମାନ୍ୟକାରୀଙ୍କ ବିରୋଧରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ।
୧ ଲକ୍ଷରୁ ଅଧିକ ଡ୍ରାଇଭର ନେଲେ ତାଲିମ
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏହି ଶିକ୍ଷଣ ଅବଧି ମଧ୍ୟରେ ୧ ଲକ୍ଷରୁ ଅଧିକ ଅଣ-ମରାଠୀ ଡ୍ରାଇଭର ମରାଠୀ ଶିଖିବା ପାଇଁ ନାମ ପଞ୍ଜୀକୃତ କରିଥିଲେ। ଏହି ଅଭିଯାନ ପାଇଁ ରାଜ୍ୟ ସରକାର ୧,୧୦୦ରୁ ଅଧିକ ବେସରକାରୀ ଶିକ୍ଷକଙ୍କୁ ନିୟୋଜିତ କରିବା ସହ ୧ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। ମରାଠୀ ଭାଷା ବିଭାଗ ଏବଂ ବିଭିନ୍ନ ସାହିତ୍ୟିକ ସଂସ୍ଥା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ସରକାରଙ୍କ କଡ଼ା ଚେତାବନୀ
କିଛି ଡ୍ରାଇଭର ମରାଠୀ ଶିଖିବେ ନାହିଁ ଏବଂ କେବଳ ହିନ୍ଦୀରେ କଥା ହେବେ ବୋଲି ଖୋଲାଖୋଲି କହିବା ପରେ ସରକାରଙ୍କ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ମନ୍ତ୍ରୀ ସରନାଏକ କହିଛନ୍ତି ଯେ, “ନିୟମ ଭଙ୍ଗ କରୁଥିବା ଡ୍ରାଇଭରଙ୍କ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ। କାହାକୁ ମଧ୍ୟ ଛଡ଼ାଯିବ ନାହିଁ ଏବଂ ଆଇନର ଶାସନକୁ ସମସ୍ତେ ପାଳନ କରିବାକୁ ବାଧ୍ୟ।”
୩୬ ବର୍ଷ ତଳର ସରକାରୀ ନିଷ୍ପତ୍ତିକୁ ଭିତ୍ତି କରି ଏହି ନିୟମ କାର୍ଯ୍ୟକାରୀ କରାଯାଉଥିବାରୁ ଏହାକୁ ନ ମାନୁଥିବା ବ୍ୟକ୍ତି ବିଦ୍ୟମାନ ଆଇନଗତ ପ୍ରାବଧାନ ଅନୁସାରେ ଦଣ୍ଡିତ ହେବେ ବୋଲି ସେ ଦୋହରାଇଛନ୍ତି।




