ଇସଲାମାବାଦ: ପାକିସ୍ତାନର ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଶେଖ ରଶିଦ ଅହମ୍ମଦ ପୁଣି ଥରେ ନିଜର ବିବାଦୀୟ ବକ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ବ୍ୟାନ ହୋଇଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (LeT)ର ଶୀର୍ଷ ଆତଙ୍କବାଦୀଙ୍କ ସହ ମଞ୍ଚ ସେୟାର କରିବା ସହ ଲସ୍କର ପ୍ରତିଷ୍ଠାତା ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସାଏଦକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ଏହାସହ ଭାରତ ବିରୋଧରେ ଅତ୍ୟନ୍ତ ଉତ୍ତେଜନାମୂଳକ ଓ ବିଷାକ୍ତ ବକ୍ତବ୍ୟ ଦେଇ ସେ ଏବେ ସାରା ବିଶ୍ୱରେ ସମାଲୋଚନାର ଶିକାର ହୋଇଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଶେଖ ରଶିଦ ଲସ୍କର-ଏ-ତୋଇବାର ବରିଷ୍ଠ କମାଣ୍ଡର ତଥା ପାକିସ୍ତାନ ମରକାଜି ମୁସଲିମ ଲିଗ (PMML)ର ସଭାପତି ଖାଲିଦ ମସୁଦ ସାନ୍ଧୁ ଏବଂ କେନ୍ଦ୍ରୀୟ ପରାମର୍ଶଦାତା କମିଟିର ସଦସ୍ୟ କାରୀ ମହମ୍ମଦ ୟାକୁବ ଶେଖଙ୍କ ସହ ଗୋଟିଏ ମଞ୍ଚରେ ଉପସ୍ଥିତ ଅଛନ୍ତି।
ହାଫିଜ ସାଏଦର ଗୁଲାମ ବୋଲି କହିଲେ
ସଭାକୁ ସମ୍ବୋଧିତ କରି ପାକିସ୍ତାନର ଏହି ପୂର୍ବତନ ମନ୍ତ୍ରୀ ଖୋଲାଖୋଲି ଭାବେ ହାଫିଜ ସାଏଦ ପ୍ରତି ନିଜର ଆନୁଗତ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୁଁ ହାଫିଜ ସାହେବଙ୍କ ଗୁଲାମ।”
ଏହାସହିତ ସେ ଏକ ପୁରୁଣା ଘଟଣା ମନେ ପକାଇ କହିଛନ୍ତି ଯେ, ଯେତେବେଳେ ସେ ଆମେରିକା ଗସ୍ତରେ ଥିଲେ, ସେତେବେଳେ ତାଙ୍କ ଫୋନରେ ହାଫିଜ ସାଏଦଙ୍କ ନମ୍ବର ଦେଖାଯାଇଥିଲା। ଏହି କାରଣରୁ ଆମେରିକା ପ୍ରଶାସନ ତାଙ୍କୁ ସେହି ଦେଶରୁ ବାହାର କରିଦେଇଥିଲା ବୋଲି ସେ ଦାବି କରିଛନ୍ତି।
ଭାରତ ବିରୋଧରେ ଓଗାଳିଲେ ବିଷ
ଆତଙ୍କବାଦୀଙ୍କ ପ୍ରଶଂସା କରିବା ପରେ ଶେଖ ରଶିଦ ଭାରତ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ ବକ୍ତବ୍ୟ ଦେଇଛନ୍ତି। ସେ ଧମକପୂର୍ଣ୍ଣ ଭାଷାରେ କହିଛନ୍ତି, “ଯଦି ଭାରତ ପାକିସ୍ତାନ ଆଡ଼କୁ ଚାହିଁବ, ତେବେ ଆଲ୍ଲା ଭାରତକୁ ଧ୍ୱଂସ କରିଦେବେ।” ଏପରିକି ସେ ଆହୁରି କହିଛନ୍ତି ଯେ, “ଭାରତରେ କୌଣସି ପକ୍ଷୀ ରାବିବେ ନାହିଁ କିମ୍ବା ମନ୍ଦିରରେ ଘଣ୍ଟ ବାଜିବ ନାହିଁ।”
ସେ ଆହୁରି ମଧ୍ୟ ଦାବି କରିଛନ୍ତି, “ଆମେ ପାକିସ୍ତାନ ସହ ଅଛୁ ଏବଂ ହାଫିଜ ସାଏଦଙ୍କ ସହ ଅଛୁ।”
ପାକିସ୍ତାନର ଆତଙ୍କବାଦୀ ପ୍ରେମ ପୁଣି ପଦାରେ
ସୂଚନାଯୋଗ୍ୟ ଯେ, ଶେଖ ରଶିଦ ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଆୱାମୀ ମୁସଲିମ ଲିଗ (AML)ର ପ୍ରମୁଖ ମଧ୍ୟ ଅଟନ୍ତି।
ଜଣେ ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ସ୍ପଷ୍ଟ ଭାବେ ଜାତିସଂଘ ଦ୍ୱାରା ଘୋଷିତ କୁଖ୍ୟାତ ଆତଙ୍କବାଦୀ ଏବଂ ଲସ୍କର ମୁଖିଆକୁ ସମର୍ଥନ କରିବା, ପାକିସ୍ତାନର ଆତଙ୍କବାଦୀଙ୍କ ପ୍ରତି ରହିଥିବା ପ୍ରଶ୍ରୟକୁ ପୁଣି ଥରେ ବିଶ୍ୱ ଦରବାରରେ ନଗ୍ନ କରିଦେଇଛି। ଏହି ଘଟଣାକୁ ନେଇ ଭାରତ ସମେତ ଆନ୍ତର୍ଜାତୀୟ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।




