ଭୁବନେଶ୍ୱର: ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ପୁଣି ଥରେ ଓଡ଼ିଶାର ନାଁ ଉଜ୍ଜ୍ୱଳ କରିଛନ୍ତି ଭି. ରମେଶ ରାଓ। ନାଇଜେରିଆର ଲାଗୋସ୍ଠାରେ ଅନୁଷ୍ଠିତ ଅତ୍ୟନ୍ତ ପ୍ରତିଷ୍ଠିତ କମନୱେଲ୍ଥ ପାରା ଫେନ୍ସିଂ ଚାମ୍ପିୟନସିପ୍ରେ ସେ ଆକର୍ଷଣୀୟ ପ୍ରଦର୍ଶନ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ବଳରେ ବିଶ୍ୱର ଅନେକ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ସେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଏହି ସଫଳତା ସହ ସେ ବିଶ୍ୱ ଦରବାରରେ ଓଡ଼ିଶା ତଥା ସମଗ୍ର ଭାରତର ଗୌରବ ବଢ଼ାଇଛନ୍ତି।
ଗଞ୍ଜାମ ଜିଲ୍ଲା ଛତ୍ରପୁରର ବାସିନ୍ଦା ଭି. ରମେଶ ରାଓ ଜଣେ ଅତ୍ୟନ୍ତ ପ୍ରତିଭାବାନ ପାରା-ଫେନ୍ସର। ସେ ପୂର୍ବରୁ ମଧ୍ୟ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।ଜାତୀୟ ପାରା ଫେନ୍ସିଂ ଚାମ୍ପିୟନସିପ୍ ଏବଂ ଏସିଆନ୍ ପାରା ଗେମ୍ସ ଭଳି ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ସେ ଭାରତର ପ୍ରତିନିଧିତ୍ୱ କରି ବହୁ ସୁନାମ ଓ ପ୍ରଶଂସା ସାଉଣ୍ଟିଛନ୍ତି।
ରମେଶଙ୍କ ଆନ୍ତର୍ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ଜିତିବା ଖବର ପହଞ୍ଚିବା ପରେ ତାଙ୍କ ଜନ୍ମମାଟି ଗଞ୍ଜାମର ଛତ୍ରପୁର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।ତାଙ୍କ ପରିବାର ଲୋକଙ୍କ ସହ ସ୍ଥାନୀୟ ବାସିନ୍ଦା, ବନ୍ଧୁପରିଜନ ଏବଂ କ୍ରୀଡ଼ା ପ୍ରେମୀମାନେ ବାଣ ଫୁଟାଇ ଓ ମିଠା ବାଣ୍ଟି ବିଜୟ ଉତ୍ସବ ପାଳନ କରିଛନ୍ତି।
ଶାରୀରିକ ପ୍ରତିବନ୍ଧକକୁ ପଛରେ ପକାଇ ନିଜର ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ବଳରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ରମେଶ ରାଓ ଆଜି ଓଡ଼ିଶାର ନବଗଠିତ ଯୁବ କ୍ରୀଡ଼ାବିତ୍ମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ରାଜ୍ୟର ବିଭିନ୍ନ ବର୍ଗରୁ, କ୍ରୀଡ଼ାବିତ୍, ଏବଂ ପ୍ରଶାସନିକ ସ୍ତରରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।




