ମସ୍କାଟ: ଓମାନ ଉପକୂଳରେ ରୁଷୀୟ ଅଶୋଧିତ ତେଲ ବୋଝେଇ ଏକ ଟ୍ୟାଙ୍କରରୁ ହୋଇଥିବା ଭୟଙ୍କର ତେଲ ଲିକ୍‌ ଏବେ ଗୁରୁତର ପରିବେଶୀୟ ବିପର୍ଯ୍ୟୟର ରୂପ ନେଇଛି। ‘କାରୋଲିନ୍ ବେଜେଙ୍ଗି’ ନାମକ ଏହି ଟ୍ୟାଙ୍କର ଜୁନ୍‌ ୩୦ରେ ଓମାନ ଉପକୂଳ ନିକଟରେ ଅଟକିଯିବା ପରେ ଏଥିରୁ ତେଲ ଲିକ୍‌ ହେଉଛି। ବୁଧବାର ସୁଦ୍ଧା ତେଲର ଆସ୍ତରଣ ୨,୦୦୦ ବର୍ଗ କିଲୋମିଟରରୁ ଅଧିକ ସମୁଦ୍ର ଅଞ୍ଚଳରେ ବ୍ୟାପିଥିବା ବିଶେଷଜ୍ଞମାନେ ସାଟେଲାଇଟ୍‌ ଚିତ୍ର ବିଶ୍ଳେଷଣ କରି କହିଛନ୍ତି। 

ଏହି ତେଲ ଏବେ ଓମାନର ଉପକୂଳରେ ପହଞ୍ଚିସାରିଛି। ପରିସ୍ଥିତି ନିୟନ୍ତ୍ରଣ କରାନଗଲେ ପ୍ରାୟ ୪୦ କିଲୋମିଟର ଉପକୂଳ ଏବଂ ମାସିରା ଦ୍ୱୀପ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। 

୮ ଲକ୍ଷ ବ୍ୟାରେଲ ରୁଷୀୟ ତେଲ ଥିଲା

କାରୋଲିନ୍ ବେଜେଙ୍ଗି ଏକ ପ୍ରାୟ ୨୫ ବର୍ଷ ପୁରୁଣା ଟ୍ୟାଙ୍କର। ଏହାରେ ପ୍ରାୟ ୮ ଲକ୍ଷ ବ୍ୟାରେଲ ରୁଷୀୟ ଅଶୋଧିତ ତେଲ ଥିବା ଜଣାପଡ଼ିଛି। ଏହି ଜାହାଜ ରୁଷର ତଥାକଥିତ ‘ଶ୍ୟାଡୋ ଫ୍ଲିଟ୍‌’ର ଅଂଶ ଏବଂ ଏହା ଉପରେ ବିଭିନ୍ନ ଦେଶର ପ୍ରତିବନ୍ଧକ ରହିଛି। ଜାହାଜଟି ଏପ୍ରିଲରେ ରୁଷର ନୋଭୋରୋସିସ୍କ ବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। 

ଜୁନ୍‌ ୮ରେ ୟେମେନ ଉପକୂଳ ନିକଟରେ ଜାହାଜଟି ସମସ୍ୟାରେ ପଡ଼ିଥିବା ରିପୋର୍ଟ ହୋଇଥିଲା। ସାମୁଦ୍ରିକ ସୂତ୍ର ଜାହାଜରେ ବିସ୍ଫୋରଣ ହୋଇଥିବା ଦାବି କରିଥିଲେ ମଧ୍ୟ ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କୌଣସି ସଂଗଠନ ମଧ୍ୟ ଏହି ଘଟଣା ପାଇଁ ନିଜକୁ ଦାୟୀ କରିନାହିଁ। 

ଭାଙ୍ଗିଗଲେ ଲିକ୍‌ ହୋଇପାରେ ୪-୫ କୋଟି ଗ୍ୟାଲନ ତେଲ

ଜାହାଜଟି ବର୍ତ୍ତମାନ ଓମାନର ହଲାନିୟାତ୍‌ ଦ୍ୱୀପପୁଞ୍ଜ ନିକଟରେ ଅଟକି ରହିଛି। ମୌସୁମୀ ପବନ ଓ ଉଚ୍ଚ ଜୁଆର ଯୋଗୁଁ ଜାହାଜର ଅବସ୍ଥା ଆହୁରି ଖରାପ ହେଉଥିବା ଆଶଙ୍କା ରହିଛି। ଜାହାଜଟି ସମ୍ପୂର୍ଣ୍ଣ ଭାଙ୍ଗିଗଲେ ଏଥିରୁ ୪୦ରୁ ୫୦ ନିୟୁତ ଗ୍ୟାଲନ ପର୍ଯ୍ୟନ୍ତ ଅଶୋଧିତ ତେଲ ସମୁଦ୍ରକୁ ଲିକ୍‌ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। 

ସାମୁଦ୍ରିକ ଜୀବଜଗତ ପାଇଁ ବଡ଼ ବିପଦ

ତେଲ ଲିକ୍‌ ଯେଉଁ ଅଞ୍ଚଳରେ ଘଟିଛି, ସେଠାରେ ସମୁଦ୍ରୀୟ ପ୍ରକୃତି ସଂରକ୍ଷିତ ଅଞ୍ଚଳ ରହିଛି। ଏହି ଅଞ୍ଚଳ ଆରବ ସାଗରର ଅତ୍ୟନ୍ତ ବିପନ୍ନ ହମ୍ପବ୍ୟାକ୍‌ ତିମି, ସୋକୋଟ୍ରା କର୍ମୋରାଣ୍ଟ୍‌ ସମେତ ବିଭିନ୍ନ ସାମୁଦ୍ରିକ ଜୀବଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆବାସସ୍ଥଳ। ତେଲ ଲିକ୍‌ ଯୋଗୁଁ ଏହି ଜୀବଜଗତ ଓ ସମୁଦ୍ରୀୟ ପରିବେଶ ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇଛି। 

ଉଦ୍ଧାର ଓ ତେଲ ନିୟନ୍ତ୍ରଣ ପାଇଁ ପ୍ରୟାସ

ପରିସ୍ଥିତିର ଗମ୍ଭୀରତାକୁ ଦେଖି Ambrey ନାମକ ଏକ ରିସ୍କ୍‌ ମ୍ୟାନେଜମେଣ୍ଟ କମ୍ପାନି ଓମାନ କର୍ତ୍ତୃପକ୍ଷଙ୍କ ସହ ମିଶି ଜାହାଜକୁ ସୁରକ୍ଷିତ କରିବା ଓ ତେଲ ଲିକ୍‌ ନିୟନ୍ତ୍ରଣ ପାଇଁ ସାଲଭେଜ୍‌ ଅପରେସନ୍‌ ଆରମ୍ଭ କରିଛି। ଏଥିରେ ଅନ୍ତର୍ଜାତୀୟ ବିଶେଷଜ୍ଞ, ସାଲଭେଜ୍‌ ଜାହାଜ, ବିମାନ ଏବଂ ପ୍ରାୟ ୧୦୦ ଟନ୍‌ ବିଶେଷ ଉପକରଣ ବ୍ୟବହାର କରାଯାଉଛି। ତେବେ ମୌସୁମୀ ପାଗ ଓ ଜାହାଜର ଅବସ୍ଥା ଯୋଗୁଁ ଅପରେସନ୍‌ ଚ୍ୟାଲେଞ୍ଜିଂ ହୋଇଛି। 

ଏହି ଘଟଣାକୁ ସାଧାରଣ ଜାହାଜ ଦୁର୍ଘଟଣା ଭାବେ ନୁହେଁ, ବରଂ ଆଞ୍ଚଳିକ ସଂଘର୍ଷ ସହ ଜଡ଼ିତ ଘଟଣା ଭାବେ ବିଚାର କରାଯିବା ନେଇ ମଧ୍ୟ ଆଲୋଚନା ହେଉଛି। ତେଲ ଲିକ୍‌ ରୋକିବା ଓ କ୍ଷତିପୂରଣ ବ୍ୟବସ୍ଥାକୁ ନେଇ ଏହା ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି କରିଛି।