ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ଭିଡ଼ କମାଇବା ସହ ବସ୍ ଯାତାୟାତକୁ ଅଧିକ ସୁଗମ ଓ ସମୟାନୁବର୍ତ୍ତୀ କରିବା ପାଇଁ ‘ସମର୍ପିତ ବସ୍ ପଥ’ ବା ଡେଡିକେଟେଡ୍ ବସ୍ ଲେନ୍ ବ୍ୟବସ୍ଥା କରାଯିବ। ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ଭିତ୍ତିରେ ସହରର ଦୁଇଟି ପ୍ରମୁଖ କରିଡରରେ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ ପ୍ରସ୍ତାବ ରହିଛି।
ଏହି ଲେନ୍ରେ ସାଧାରଣ ବସ୍ ସହ ସ୍କୁଲ୍ ବସ୍ ଏବଂ ଆମ୍ବୁଲାନ୍ସ ଭଳି ଜରୁରୀ ଓ ଅତ୍ୟାବଶ୍ୟକ ସେବା ଯାନକୁ ପ୍ରାଥମିକତା ଦିଆଯିବ।
ଦୁଇଟି କରିଡରରେ ପାଇଲଟ୍ ପ୍ରକଳ୍ପ
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନସ୍ଥ କ୍ରୁଟ୍ ପକ୍ଷରୁ ପାଇଲଟ୍ ପ୍ରକଳ୍ପ ପାଇଁ ଦୁଇଟି ରୁଟ୍କୁ ଚିହ୍ନଟ କରାଯାଇଛି।
- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର–ନନ୍ଦନକାନନ: ୧୮ କିମି
- ବାଣୀବିହାର–ଶିଶୁ ଭବନ: ୫ କିମି
ବିମାନବନ୍ଦର–ନନ୍ଦନକାନନ କରିଡରରେ ସହରର ପ୍ରମୁଖ ପ୍ରଶାସନିକ, ଶିକ୍ଷା, ବାଣିଜ୍ୟିକ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ର ସଂଯୋଗ ହୋଇଛି। ଏହି ରୁଟ୍ରେ ୩୪ଟି ବସ୍ଷ୍ଟପ୍ ଥିବା ବେଳେ ପ୍ରତିଦିନ ପ୍ରାୟ ୯ରୁ ୧୦ ହଜାର ଯାତ୍ରୀ ଯାତାୟାତ କରୁଛନ୍ତି।
ସେହିପରି ବାଣୀବିହାର–ଶିଶୁ ଭବନ କରିଡରରେ ମାଷ୍ଟର କ୍ୟାଣ୍ଟିନ୍, ରାଜମହଲ, ରାମ ମନ୍ଦିର ଓ ଭୁବନେଶ୍ୱର ରେଳ ଷ୍ଟେସନ୍ ଭଳି ପ୍ରମୁଖ ଅଞ୍ଚଳ ରହିଛି। ଏହି ରୁଟ୍ରେ ୧୫ଟି ବସ୍ଷ୍ଟପ୍ ଥିବା ବେଳେ ପ୍ରତିଦିନ ପ୍ରାୟ ୫,୦୦୦ରୁ ୬,୫୦୦ ଯାତ୍ରୀ ବସ୍ରେ ଯାତାୟାତ କରୁଛନ୍ତି।
୧୦ରୁ ୧୨ ସପ୍ତାହରେ ପ୍ରସ୍ତୁତି
ପାଇଲଟ୍ ପ୍ରକଳ୍ପ ପୂର୍ବରୁ ପ୍ରାୟ ୧୦ରୁ ୧୨ ସପ୍ତାହ ଧରି ପ୍ରସ୍ତୁତି କାର୍ଯ୍ୟ ଚାଲିବ। ଏହି ସମୟରେ ବିସ୍ତୃତ ଟ୍ରାଫିକ୍ ସର୍ଭେ, କରିଡର୍ଭିତ୍ତିକ ଡିଜାଇନ୍, ଲେନ୍ ମାର୍କିଂ ଓ ସାଇନେଜ୍ ବ୍ୟବସ୍ଥା କରାଯିବ।
ଏଥିସହ ବସ୍ କ୍ୟୁ ସେଲ୍ଟର୍ର ଉନ୍ନତିକରଣ, ଟ୍ରାଫିକ୍ ସିଗ୍ନାଲ୍ର ସମନ୍ୱୟ ଏବଂ ଅଟୋ ଓ କ୍ୟାବ୍ ଭଳି ଯାନ ପାଇଁ ନିର୍ଦ୍ଦିଷ୍ଟ ପିକ୍-ଅପ୍ ଓ ଡ୍ରପ୍-ଅଫ୍ ସ୍ଥାନ ଚିହ୍ନଟ କରାଯିବ।
ଏହାପରେ ୩ରୁ ୬ ମାସର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ ହେବ। ଏହି ସମୟରେ ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (ITMS) ଜରିଆରେ ତଥ୍ୟ ସଂଗ୍ରହ କରାଯିବ ଏବଂ ବ୍ୟବସ୍ଥାର କାର୍ଯ୍ୟଦକ୍ଷତା ନିରନ୍ତର ନିରୀକ୍ଷଣ କରାଯିବ।
ବସ୍ ଯାତ୍ରା ସମୟ ୨୦% ପର୍ଯ୍ୟନ୍ତ କମିବା ଆଶା
ବର୍ତ୍ତମାନ ମିଶ୍ରିତ ଯାତାୟାତ ବ୍ୟବସ୍ଥା ଯୋଗୁଁ ପ୍ରତି ମାସରେ ପ୍ରାୟ ୧,୨୦୦ରୁ ୧,୫୦୦ ବସ୍ ଟ୍ରିପ୍ ପ୍ରଭାବିତ ହେଉଥିବା ଆକଳନ କରାଯାଇଛି। ଟ୍ରାଫିକ୍ ସମସ୍ୟା ଯୋଗୁଁ ପ୍ରାୟ ୧୬ ପ୍ରତିଶତ ବସ୍ ଟ୍ରିପ୍ ହ୍ରାସ ପାଉଥିବା ବେଳେ ଯାତ୍ରା ସମୟରେ ମଧ୍ୟ ଅନିୟମିତତା ଦେଖାଯାଉଛି।
ପ୍ରସ୍ତାବିତ ବସ୍ ପ୍ରାଥମିକତା ଲେନ୍ କାର୍ଯ୍ୟକାରୀ ହେଲେ ବସ୍ ଯାତ୍ରା ସମୟରେ ୧୦ରୁ ୨୦ ପ୍ରତିଶତ ହ୍ରାସ ଏବଂ ବସ୍ର ହାରାହାରି ଗତିରେ ୧୫ରୁ ୨୫ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି। ଏହା ସହ ସଡ଼କ ସୁରକ୍ଷାରେ ମଧ୍ୟ ସୁଧାର ଆସିବ ବୋଲି ଆକଳନ କରାଯାଇଛି।
ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା
ଏନେଇ ଖାରବେଳ ଭବନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକରେ ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍ ଆଲମ, ବିଏମ୍ସି କମିଶନର ଚଞ୍ଚଳ ରାଣାଙ୍କ ସମେତ ଟ୍ରାଫିକ୍ ପୁଲିସ, ଆର୍ ଆଣ୍ଡ୍ ବି, ପୂର୍ତ୍ତ ବିଭାଗ, ବିଡିଏ ଓ ବିଏମ୍ସିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ପାଇଲଟ୍ ପ୍ରକଳ୍ପର ଫଳାଫଳ ଓ ତଥ୍ୟ ବିଶ୍ଳେଷଣ ପରେ ଏହି ମଡେଲ୍କୁ ଭୁବନେଶ୍ୱରର ଅନ୍ୟ ପ୍ରମୁଖ କରିଡରକୁ ବିସ୍ତାର କରାଯିବାର ଯୋଜନା ରହିଛି।




