ଭୁବନେଶ୍ୱର: ‘ହର୍ ଘର୍ ତିରଙ୍ଗା ୨୦୨୬’ ଅଭିଯାନ ପାଇଁ ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ମହିଳାମାନେ ବଡ଼ ସଫଳତା ହାସଲ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ମିଶନ୍ ଶକ୍ତିର ମହିଳାମାନେ ଧାର୍ଯ୍ୟ ସମୟସୀମା ପୂର୍ବରୁ ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତିର ଲକ୍ଷ୍ୟ ପୂରଣ କରିଛନ୍ତି।
ଏହି ବୃହତ୍ ଅଭିଯାନରେ ୧,୨୩୫ଟି ଏସ୍ଏଚ୍ଜି, ୨୦୧ଟି ଉତ୍ପାଦକ ଗୋଷ୍ଠୀ (ପିଜି) ଏବଂ ୧୩୮ଟି ମହାସଂଘର ମୋଟ ୧୬,୧୬୨ ଜଣ ମହିଳା ସଦସ୍ୟା ସାମିଲ ହୋଇଥିଲେ। ମହିଳାମାନେ ଏକାଠି ହୋଇ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପତାକା ପ୍ରସ୍ତୁତ କରିଛନ୍ତି।
ଓଡ଼ିଶା ପାଇଁ ଗର୍ବର ବିଷୟ: ପ୍ରଭାତୀ ପରିଡ଼ା
ଏହି ସଫଳତାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ମିଶନ୍ ଶକ୍ତିର ମହିଳାମାନଙ୍କ ଦ୍ୱାରା ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଏହା ମହିଳାମାନଙ୍କ ଦେଶପ୍ରେମ, ନିଷ୍ଠା ଓ ଉଦ୍ୟୋଗୀ ମନୋଭାବର ପରିଚୟ ଦେଉଛି।
ମିଶନ୍ ଶକ୍ତି ମାଧ୍ୟମରେ ଓଡ଼ିଶାର ମହିଳାମାନେ ଏବେ ରାଜ୍ୟର ବିକାଶରେ ସକ୍ରିୟ ଭାଗୀଦାର ହେବା ସହ ନିଜ ପାଇଁ ଓ ନିଜ ସମୁଦାୟ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି।
ମହିଳା-ନେତୃତ୍ୱାଧୀନ ବିକାଶକୁ ଗତି
ଜାତୀୟ ପତାକା ପ୍ରସ୍ତୁତିରେ ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ଓଡ଼ିଶାର ମହିଳାମାନଙ୍କ ଦକ୍ଷତା ଓ ସାମୂହିକ ଉଦ୍ୟମକୁ ପ୍ରମାଣିତ କରିଛି। ଏହି ସଫଳତା ମହିଳା ସଶକ୍ତୀକରଣ ସହ ମହିଳା-ନେତୃତ୍ୱାଧୀନ ବିକାଶକୁ ଆହୁରି ମଜବୁତ କରିବ ବୋଲି କୁହାଯାଇଛି।




