ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥା ଓ ଜନକଲ୍ୟାଣକାରୀ ଯୋଜନାର ଅଧିକ ସମ୍ପ୍ରସାରଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି।

ଭୁବନେଶ୍ୱରସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସର ରାଜ୍ୟସ୍ତରୀୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ସମୃଦ୍ଧ ଓ ବିକଶିତ ଓଡ଼ିଶା’ ଗଠନ ପାଇଁ ସରକାର ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ ମନ୍ତ୍ରରେ କାର୍ଯ୍ୟ କରୁଛନ୍ତି।

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା:

ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପାଠ୍ୟପୁସ୍ତକ ଦିଆଯାଉଥିବା ବେଳେ ଏବେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମାଗଣା ବହି ଏବଂ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ସମସ୍ତ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ଅନୁଷ୍ଠାନରେ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ମାଗଣା କରାଯାଇଛି।ପ୍ରଥମ ପର୍ଯ୍ୟାୟରେ ୨,୨୦୦ଟି ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ପ୍ରତିଷ୍ଠା ହେବ। ବିଗତ ୨ ବର୍ଷରେ ୨୬,୦୦୦ ଶିକ୍ଷକ ନିଯୁକ୍ତ ହୋଇସାରିଥିବା ବେଳେ ଆଗାମୀ ଦିନରେ ଅଧିକ ୪୫,୦୦୦ ଶିକ୍ଷକ ନିଯୁକ୍ତ ହେବେ।

ଉଚ୍ଚଶିକ୍ଷାର ବିକାଶ ପାଇଁ ଉପାନ୍ତ ଜିଲ୍ଲାଗୁଡ଼ିକରେ ୧୮ଟି ନୂଆ ସରକାରୀ କଲେଜ ଓ ୪ଟି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ୨୦୨୭ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପକ୍କା ରାସ୍ତା, ବିଦ୍ୟୁତ୍ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ‘ମିଶନ୍ ପାୱାର’ ଆରମ୍ଭ କରାଯିବ।ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ରାଜ୍ୟର ୩.୭ କୋଟି (୮୦% ଜନସଂଖ୍ୟା) ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳୁଛି। ଯାଜପୁର, ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ ସହ ୪ଟି ନୂଆ ଆଧୁନିକ ମେଡିକାଲ କଲେଜ, ୭ଟି ନର୍ସିଂ କଲେଜ, ୩ଟି ଆୟୁର୍ବେଦିକ ଓ ୨ଟି ହୋମିଓପାଥିକ କଲେଜ ଖୋଲାଯିବ।

ସମାଜର ଜନଜାତି (୨୫%), ସୂଚୀବଦ୍ଧ ଜାତି (୧୬%), ମହିଳା (୫୦%) ଏବଂ ଚାଷୀ, ବୁଣାକାର ଓ ପଶୁପାଳକଙ୍କ ସର୍ବାଙ୍ଗୀନ ବିକାଶ ବିନା ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ଅପୂରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।