ନୂଆଦିଲ୍ଲୀ: ହାତୀ କରିଡର ଓ ବନ୍ୟପ୍ରାଣୀଙ୍କ ସ୍ୱାଭାବିକ ଗତିବିଧିକୁ ନେଇ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଫସଲ ନଷ୍ଟ ହେଉଥିବା ଦର୍ଶାଇ ହାତୀଙ୍କ ପାରମ୍ପରିକ ଯାତାୟାତ ପଥରେ କୌଣସି ପ୍ରକାରର ବାଧା ସୃଷ୍ଟି କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ଯେ ହାତୀ ପଲ ଦୀର୍ଘ ଦୂରତା ଅତିକ୍ରମ କରନ୍ତି ଏବଂ ଏହା ସେମାନଙ୍କର ସ୍ୱାଭାବିକ ବ୍ୟବହାର। ତେଣୁ ଫସଲ ନଷ୍ଟ ହେଉଥିବା ଆଧାରରେ କୌଣସି ରାଜ୍ୟ ସରକାର ହାତୀଙ୍କ ଗତିପଥକୁ ଅବରୋଧ କରିବାକୁ ଅନୁମତି ଦେଇପାରିବେ ନାହିଁ।
ହାତୀ କରିଡରର ହେବ ନୂଆ ସର୍ଭେ
ସୁପ୍ରିମକୋର୍ଟ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ଦେଶର ବିଭିନ୍ନ ରାଜ୍ୟରେ ଥିବା ହାତୀ କରିଡରଗୁଡ଼ିକର ନୂଆ ସର୍ଭେ କରିବାକୁ କହିଛନ୍ତି। ଏହି କରିଡରଗୁଡ଼ିକରେ ହାତୀଙ୍କ ନିରବଚ୍ଛିନ୍ନ ଗତିବିଧିରେ କେଉଁଠି ବାଧା ରହିଛି ଏବଂ ତାହା ଦୂର କରିବାକୁ କ’ଣ ପଦକ୍ଷେପ ନିଆଯାଇଛି, ସେନେଇ ମନ୍ତ୍ରଣାଳୟକୁ ରିପୋର୍ଟ ଦେବାକୁ ପଡ଼ିବ।
କୋର୍ଟ କହିଛନ୍ତି ଯେ ହାତୀଙ୍କ ସୁରକ୍ଷିତ ଓ ନିରବଚ୍ଛିନ୍ନ ଗତିବିଧି ପାଇଁ ପରିବେଶ ମନ୍ତ୍ରଣାଳୟ ପୂର୍ବରୁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛି। ତଥାପି ସ୍ଥାନୀୟ ସ୍ତରର ବିଭିନ୍ନ କାରଣ ଯୋଗୁଁ ଅନେକ ସ୍ଥାନରେ ହାତୀଙ୍କ ଗତିପଥରେ ବାଧା ସୃଷ୍ଟି ହେଉଛି।
ହାତୀ ଘଉଡ଼ାଇବାର କଠୋର ପଦ୍ଧତି ଉପରେ ନଜର
ହାତୀଙ୍କୁ ଘଉଡ଼ାଇବା ପାଇଁ କେଉଁ ସ୍ଥାନରେ ଗୁଳିଚାଳନା କିମ୍ବା ଅନ୍ୟ କଠୋର ପଦ୍ଧତି ବ୍ୟବହାର କରାଯାଉଛି, ସେନେଇ ମଧ୍ୟ ରିପୋର୍ଟ ଦେବାକୁ କୋର୍ଟ ମନ୍ତ୍ରଣାଳୟକୁ କହିଛନ୍ତି।
ଶୁଣାଣି ସମୟରେ ଆଇନଜୀବୀମାନେ କହିଥିଲେ ଯେ ବେଳେବେଳେ ଲୋକଙ୍କ ଭିଡ଼ କରି ହାତୀଙ୍କୁ ଘଉଡ଼ାଯାଉଛି। ବାଜା ବଜାଇବା, ନିଆଁହୁଳା ଧରିବା କିମ୍ବା ଅନ୍ୟ ଭୟ ସୃଷ୍ଟିକାରୀ ପଦ୍ଧତି ଯୋଗୁଁ ପରିସ୍ଥିତି ଅଧିକ ଜଟିଳ ହେଉଛି। ହାତୀଙ୍କ ସ୍ୱାଭାବିକ ଗତିବିଧି ସମୟରେ ଗୁଳିଚାଳନା ଭଳି ପଦ୍ଧତି ବ୍ୟବହାର ରୋକିବା ଆବଶ୍ୟକ ବୋଲି ଆଇନଜୀବୀ ଯୁକ୍ତି ରଖିଥିଲେ।
ଏନେଇ ଆବଶ୍ୟକ ପଦକ୍ଷେପ ନେବା ସହ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ କୋର୍ଟକୁ ଅବଗତ କରାଇବାକୁ ସିଜେଆଇ ନିର୍ଦ୍ଦେଶ ଦେଇଛନ୍ତି।




