ବରୀ: ବରୀରେ ଦ୍ୱିତୀୟ ବନ୍ୟାର ଦ୍ୱିତୀୟ ଦିନରେ ସ୍ଥିତି ଆହୁରି ସଙ୍ଗିନ ହୋଇପଡ଼ିଛି। ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀର ବନ୍ୟାଜଳ ଯୋଗୁଁ ବରୀ ବ୍ଲକର ୨୯ଟି ପଞ୍ଚାୟତର ୮୪ଟି ରାଜସ୍ୱ ଗ୍ରାମ ପ୍ରଭାବିତ ହୋଇଛି। ଏଥିରେ ପ୍ରାୟ ୧ ଲକ୍ଷ ୨୦ ହଜାର ୭୨୦ ଜଣ ଲୋକ ବିପନ୍ନ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ବନ୍ୟାଜଳ ଘେରରେ ଥିବା ଅନେକ ଗ୍ରାମରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିପନ୍ନଙ୍କ ପାଇଁ ୫୧ଟି ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇଥିବା ବେଳେ ବିଚ୍ଛିନ୍ନ ଗ୍ରାମଗୁଡ଼ିକରେ ଓଡ୍ରାଫ୍‌ ଟିମ୍‌ ଜରିଆରେ ଶୁଖିଲା ଓ ରନ୍ଧାଖାଦ୍ୟ ପହଞ୍ଚାଯାଉଛି। ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ବରୀରେ ରହି ରିଲିଫ୍‌ କାର୍ଯ୍ୟ ଓ ବିପନ୍ନଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି।

କିମ୍ଭିରିଆଳ ପଞ୍ଚାୟତର ବିପନ୍ନଙ୍କୁ ନବଭାରତୀ ବିଦ୍ୟାପୀଠରେ ରଖାଯାଇଛି। ସେଠାରେ ଖୋଲାଯାଇଥିବା ରନ୍ଧାଖାଦ୍ୟ କେନ୍ଦ୍ରରେ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିଜେ ଖାଦ୍ୟ ଖାଇ ଯାଞ୍ଚ କରିଥିବା ଜଣାପଡ଼ିଛି।

ମୁଖ୍ୟରାସ୍ତାରେ ଚାଲିଛି ବନ୍ୟାଜଳ

ବରୀ-କଳାମାଟିଆ ମୁଖ୍ୟରାସ୍ତାର ବରୀ ଠାକୁରପାଟଣାଠାରୁ କଳାମାଟିଆ ପର୍ଯ୍ୟନ୍ତ ପ୍ରାୟ ୧୦ କିମି ରାସ୍ତାର ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସୋମବାର ବରୁଁହା-ବରୀ ରାସ୍ତାର ଶଙ୍କାରିଗଡ଼ା, ଚୁଡ଼ାକଳ ଛକଠାରୁ ମାଳଦା ପର୍ଯ୍ୟନ୍ତ ମୁଖ୍ୟରାସ୍ତା ଉପରେ ମଧ୍ୟ ବନ୍ୟାଜଳ ଚାଲିଛି।

ଏଭଳି ଭାବେ ଜଳସ୍ତର ବଢ଼ି ଚାଲିଲେ ସନ୍ଧ୍ୟା ସୁଦ୍ଧା ବରୀ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିବାର ଆଶଙ୍କା ଦେଖାଦେଇଛି।

ବଢ଼ୁଛି ନଦୀବନ୍ଧ ଘାଇ

ବ୍ରାହ୍ମଣୀ ନଦୀବନ୍ଧରେ ସୃଷ୍ଟି ହୋଇଥିବା ଘାଇଗୁଡ଼ିକ ଧୀରେ ଧୀରେ ବଡ଼ ହେବାରେ ଲାଗିଛି। ବାଙ୍କସାହି ଘାଇର ପ୍ରଭାବରେ କିମ୍ଭିରିଆପାଳ ପଞ୍ଚାୟତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ଓ ଖରସ୍ରୋତାର ବନ୍ୟାଜଳରେ ଭଅଁରା, ବୋଦୁଅ, ରମ୍ପା, ଉଦୟନାଥପୁର, ରତଳାଙ୍ଗ, ଅରଙ୍ଗାବାଦ, ବାଇଁଶିରିଆ, ଅଟିରା, ବରୀ, ଅଲିପୁର, ବାଲିବିଲି, ଚନ୍ଦନପୁର, ମନ୍ଦାରୀ, ସେରପୁର, ଗମୁ, ମହାକାଳପଡ଼ା, ଅମଠପୁର, ରତ୍ନଗିରି, ସାହୁପଡ଼ା, ଧାରପୁର, ଇଶାଣପୁର, ବାଲିଆ, ଗୋଳକୁଣ୍ଡ ଓ ସ୍ୱାଇଁଖଣ୍ଡ ପଞ୍ଚାୟତ ପ୍ରଭାବିତ ହୋଇଛି।

ଏହାବ୍ୟତୀତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀର ବନ୍ୟାରେ ଅନ୍ୟାସୀପୁର, କଳାମାଟିଆ, ଅଙ୍ଗାଳୋ ଓ ମଧୁସୂଦନପୁର ପଞ୍ଚାୟତ ମଧ୍ୟ ପ୍ରଭାବିତ ହୋଇଛି। ବିଶେଷକରି କଳାମାଟିଆ ପଞ୍ଚାୟତର ଅଧିକାଂଶ ଗ୍ରାମ ଗତ ୫ ଦିନ ହେଲା ଜଳବନ୍ଦୀ ହୋଇରହିଛି।

ଖାଦ୍ୟ ପହଞ୍ଚିନଥିବା ଅଭିଯୋଗ

କଳାମାଟିଆ ଅଞ୍ଚଳର କିଛି ବନ୍ୟାବିପନ୍ନଙ୍କ ନିକଟରେ ସୋମବାର ମଧ୍ୟାହ୍ନ ସୁଦ୍ଧା ଶୁଖିଲା କିମ୍ବା ରନ୍ଧାଖାଦ୍ୟ ପହଞ୍ଚିନଥିବା ଅଭିଯୋଗ ହୋଇଛି। ବିପନ୍ନ କିଶୋର ମଳିକ, କୈଳାସ ମଳିକ, ସାଗର ମଳିକ ଓ ଭାସ୍କର ଜେନା ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବରୀ ବ୍ଲକର ୨୯ଟି ପଞ୍ଚାୟତ ମଧ୍ୟରୁ ୨୩ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଥିବା ବେଳେ ଅନ୍ୟ ୬ଟି ପଞ୍ଚାୟତର ଚାଷଜମି ବନ୍ୟାଜଳ ଘେରରେ ରହିଛି।

୫୧ ହଜାରରୁ ଅଧିକ ପଶୁ ପ୍ରଭାବିତ

ବନ୍ୟାରେ ବରୀ ବ୍ଲକର ୨୯ଟି ପଞ୍ଚାୟତରେ ଗାଈ, ମଇଁଷି, ଛେଳି ଓ ମେଣ୍ଢା ମିଶି ୫୧,୫୮୧ଟି ପଶୁ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ପାଇଁ ୩ ଦିନର ରିଲିଫ୍‌ ନିମନ୍ତେ ୧୦୮ ମେଟ୍ରିକ୍‌ ଟନ୍‌ ଗୋଖାଦ୍ୟ ବଣ୍ଟନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।