ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେଠୁ ଗ୍ରାଉଣ୍ଡ ଜିରୋରେ ସକ୍ରିୟ ହୋଇପଡ଼ିଛି ସମାଜବାଦୀ ପାର୍ଟି (ସପା)। ନିର୍ବାଚନୀ ବୈତରଣୀ ପାର୍ ହେବା ପାଇଁ ଦଳ ନିଜର ବୁଥ୍‌ସ୍ତରୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛି।

ଉତ୍ତରପ୍ରଦେଶରେ ପ୍ରାୟ ୧ ଲକ୍ଷ ୭୭ ହଜାର ବୁଥ୍ ରହିଛି। ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଦଳ ନିଜର ବୁଥ୍ ଲେଭଲ୍ ଏଜେଣ୍ଟ (BLA) ମାନଙ୍କୁ ପ୍ରତ୍ୟେକ ବୁଥ୍‌ରେ ଅତି କମ୍‌ରେ ୫ ଜଣ ନୂଆ ଭୋଟରଙ୍କୁ ଯୋଡ଼ିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛି।

ଜଣେ ନୂଆ ଭୋଟରଙ୍କୁ ଯୋଡ଼ିବା ଅର୍ଥ ସମ୍ପୂର୍ଣ୍ଣ ପରିବାର ନିକଟରେ ପହଞ୍ଚିବା। ଏହାଦ୍ୱାରା ପ୍ରତି ବୁଥ୍‌ରେ ପ୍ରାୟ ୨୫ ଜଣ ସମ୍ଭାବ୍ୟ ଭୋଟରଙ୍କୁ ଆକୃଷ୍ଟ କରି ଦଳର ଭୋଟ୍ ବ୍ୟାଙ୍କ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ସମସ୍ତ ୪୦୩ଟି ବିଧାନସଭା ଆସନରେ ସପା ପକ୍ଷରୁ ସ୍ୱତନ୍ତ୍ର ଆଭ୍ୟନ୍ତରୀଣ ସର୍ଭେ କରାଯାଉଛି।

୨୦୨୪ ଲୋକସଭା ନିର୍ବାଚନରେ ସପା ୩୭ଟି ଆସନ ଜିତି ବିଜେପିକୁ ବଡ଼ ଝଟ୍‌କା ଦେଇଥିଲା। ସେହି ସଫଳତାର ଟ୍ରାକ୍ ରେକର୍ଡକୁ ୨୦୨୭ରେ ଦୋହରାଇବା ପାଇଁ ଏହି ‘୫ ଏକ୍ସଟ୍ରା ଭୋଟର’ ଫର୍ମୁଲା ପ୍ରସ୍ତୁତ କରାଯାଇଛି।

୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ୪୧.୨୯% ଭୋଟ୍ ସହ ୨୫୫ଟି ଆସନ ଜିତି ସରକାର ଗଢ଼ିଥିଲା। ଅନ୍ୟପଟେ, ସପା ୩୨.୦୬% ଭୋଟ୍ ପାଇ ୧୧୧ଟି ଆସନରେ ସୀମିତ ରହିଥିଲା।

ସପାର ଏହି ଅଭିଯାନକୁ ସମାଲୋଚନା କରି ବିଜେପି କହିଛି ଯେ ଏହାର ନିର୍ବାଚନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବିଜେପି ନିଜର ‘ପାନ୍ନା ପ୍ରମୁଖ’ ଓ ‘ବୁଥ୍ ପାଳକ’ ନେଟୱର୍କ ଜରିଆରେ ବୁଥ୍ ସ୍ତରରେ ସପାଠାରୁ ବହୁ ଆଗରେ ରହିଛି। ସପା କେବଳ ବିଜେପିର ସଂଗଠନିକ ରଣନୀତିକୁ ଅନୁକରଣ କରୁଛି ବୋଲି ଶାସକ ଦଳ ଦାବି କରିଛି।