ୱାଶିଂଟନ୍: ଆମେରିକା ଉପରେ ହଠାତ୍ କୌଣସି ବଡ଼ ଧରଣର ପରମାଣୁ ଆକ୍ରମଣ ତୁଳନାରେ ଏକ ଆଞ୍ଚଳିକ ପାରମ୍ପରିକ ଯୁଦ୍ଧରେ ପରମାଣୁ ଅସ୍ତ୍ରର ପ୍ରୟୋଗ ହେବା ଏବଂ ତାହା ବ୍ୟାପକ ଆକାର ଧାରଣ କରିବା ଆମେରିକା ପାଇଁ ଅଧିକ ବିପଜ୍ଜନକ। ଆମେରିକା ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ୍)ର ବରିଷ୍ଠ ଅଧିକାରୀ ଏଲବ୍ରିଜ୍ କୋଲବି (Elbridge Colby) ଏହି ଚେତାବନୀ ଦେଇଛନ୍ତି।

୨୦୨୬ ଆମେରିକା ଷ୍ଟ୍ରାଟେଜିକ୍ କମାଣ୍ଡ୍ ଡିଟରନ୍ସ ସିମ୍ପୋଜିୟମ୍‌ରେ ଉଦ୍‌ବୋଧନ ଦେଇ ‘ଅଣ୍ଡର ସେକ୍ରେଟାରୀ ଅଫ୍ ୱାର୍ ଫର୍ ପଲିସି’ କୋଲବି କହିଛନ୍ତି ଯେ, ଆମେରିକା ଉପରେ ଏକ ବୃହତ୍ ପରମାଣୁ ଆକ୍ରମଣର ପରିଣାମ ଭୟଙ୍କର ହୋଇଥିବାରୁ ଶତ୍ରୁ ଦେଶଗୁଡ଼ିକ ଏପରି ନିଷ୍ପତ୍ତି ନେବାରୁ ନିବୃତ୍ତ ରହିବେ। କିନ୍ତୁ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି କୌଣସି ସ୍ଥାନୀୟ କିମ୍ବା ଆଞ୍ଚଳିକ ଯୁଦ୍ଧ ସମୟରେ ଯଦି କୌଣସି ପକ୍ଷ ସୀମିତ ପରମାଣୁ ଅସ୍ତ୍ର ବ୍ୟବହାର କରେ, ତେବେ ତାହା ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ।

ଯୁଦ୍ଧ ସମୟରେ ନିଷ୍ପତ୍ତି ନେବା ପାଇଁ ଅତ୍ୟନ୍ତ କମ୍ ସମୟ ମିଳିଥାଏ। କୌଣସି ସାମରିକ ପଦକ୍ଷେପକୁ ଶତ୍ରୁ ପକ୍ଷ ସମ୍ପୂର୍ଣ୍ଣ ଆକ୍ରମଣର ପ୍ରସ୍ତୁତି ଭାବି ଭୁଲ୍‌ରେ ବଡ଼ ଧରଣର ପ୍ରତିଆକ୍ରମଣ କରିଦେବାର ଆଶଙ୍କା ରହିଛି, ଯାହା ପରିସ୍ଥିତିକୁ ଜଟିଳ କରିଦେବ।

ଆମେରିକା ରାଷ୍ଟ୍ରପତିଙ୍କ ନିକଟରେ ଏପରି ବିଶ୍ୱସନୀୟ ଓ ଯୁକ୍ତିଯୁକ୍ତ ସାମରିକ ବିକଳ୍ପ ରହିବା ଉଚିତ୍, ଯାହା ପରମାଣୁ ଯୁଦ୍ଧର ସ୍ଥିତି ସୃଷ୍ଟି ନକରି ଶତ୍ରୁକୁ ରୋକିବାରେ ସମର୍ଥ ହେବ।

ଆମେରିକାର ପରମାଣୁ ନିରୋଧକ ଶକ୍ତିର ଆଧୁନିକୀକରଣକୁ ସେ ସେନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଭାବେ ବର୍ଣ୍ଣନା କରିଛନ୍ତି। ଏଥିପାଇଁ ସ୍ଥଳ, ଆକାଶ ଓ ଜଳରୁ ପରମାଣୁ ଆକ୍ରମଣ କରିବାର କ୍ଷମତା କୁ ଅଧିକ ସୁଦୃଢ଼ କରିବାକୁ ପଡ଼ିବ।

କୋଲବି କହିଛନ୍ତି ଯେ, ଶୀତଳ ଯୁଦ୍ଧ ସମୟ ତୁଳନାରେ ଏବେ ଆମେରିକା ଆଗରେ ଚୀନ୍ ଏବଂ ରୁଷ୍‌ ଭଳି ଦୁଇଟି ପ୍ରମୁଖ ପରମାଣୁ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ଚୀନ୍‌ର ବୃଦ୍ଧିପାଉଥିବା ପରମାଣୁ କ୍ଷମତା ଏକ ଅଭୂତପୂର୍ବ ସାମରିକ ଆହ୍ୱାନ ସୃଷ୍ଟି କରିଛି।

ଏହି ଆହ୍ୱାନର ମୁକାବିଲା ପାଇଁ ଶକ୍ତିଶାଳୀ ସାମରିକ ପ୍ରସ୍ତୁତି ସହିତ ଆଲୋଚନା ଓ କୂଟନୈତିକ ସମ୍ପର୍କ ବଜାୟ ରଖିବା ଜରୁରୀ ବୋଲି ସେ ଦର୍ଶାଇଛନ୍ତି।