ମୁମ୍ବାଇ: ସପ୍ତାହ ସପ୍ତାହ ଧରି ଚାଲିଥିବା ଆଇନଗତ ବିବାଦ ଓ ସସପେନ୍ସର ଅନ୍ତ ଘଟିଛି। ଆନିମେସନ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଶେଷରେ ଆସନ୍ତା ଅଗଷ୍ଟ ୨୮ ତାରିଖରେ ସାରା ଦେଶର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

ପୂର୍ବରୁ ଏହି ଚଳଚ୍ଚିତ୍ରଟି ଜୁଲାଇ ୧୭ ତାରିଖରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଚଳଚ୍ଚିତ୍ରର କାହାଣୀ ଓ କଣ୍ଟେଣ୍ଟକୁ ନେଇ ଆଗତ ଏକ ଜନସ୍ୱାର୍ଥ ମାମଲା ର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏହାର ରୋଲ୍‌ଆଉଟ୍‌ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଥିଲେ।

ହାଇକୋର୍ଟଙ୍କ ରୋକ ପରେ ପ୍ରଯୋଜକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଚଳଚ୍ଚିତ୍ର ସେନ୍ସର ବୋର୍ଡ ପକ୍ଷରୁ ‘U’ ସାର୍ଟିଫିକେଟ୍ ମିଳିସାରିଥିବା ଏବଂ ୩୦୦ରୁ ଅଧିକ ହଲ୍ ବୁକ୍ ହୋଇସାରିଥିବାରୁ ପ୍ରବଳ ଆର୍ଥିକ କ୍ଷତି ସହିବାକୁ ପଡ଼ୁଥିବା ଦର୍ଶାଇଥିଲେ।ମାମଲାର ବିଚାର କରି ସୁପ୍ରିମକୋର୍ଟ ସାରା ଦେଶରେ ଫିଲ୍ମର ରିଲିଜ୍ ପାଇଁ ବାଟଫିଟାଇଥିଲେ।

ସିନେପୋଲିସ୍ ଦ୍ୱାରା ପରିଚାଳିତ ଓ ବଣ୍ଟିତ ହେବାକୁ ଥିବା ଏହି ଫିଲ୍ମଟି ବିଶେଷ କରି ଶିଶୁ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଓ ସାଂସ୍କୃତିକ ମୂଲ୍ୟବୋଧ ଜାଗ୍ରତ କରିବା ପାଇଁ ପ୍ରସ୍ତୁତ କରାଯାଇଛି।

ଏଲେ ଆନିମେସନ୍ସ ର ସଂସ୍ଥାପକ ତଥା ପ୍ରଯୋଜକ ଦୁର୍ଗାପ୍ରସାଦ ଦଳାଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, “ଆମ ସଂସ୍କୃତି ପ୍ରତି ଅପାର ଭକ୍ତି, ଭଲପାଇବା ଓ ସମ୍ମାନ ରଖି ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଏହା ପ୍ରତ୍ୟେକ ଦର୍ଶକଙ୍କ ମନକୁ ଛୁଇଁବ।”