ବାଲେଶ୍ୱର: ବିପଦ ସମୟରେ ପ୍ରଶାସନିକ ଅଧିକାରୀଙ୍କ ଏପରି ଆନ୍ତରିକତା ଓ ସେବା ମନୋଭାବ ସମସ୍ତଙ୍କ ହୃଦୟ ଜିତିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ରେ ବନ୍ୟା ବିପନ୍ନଙ୍କ ଦୁଃଖ ଦେଖି ନିଜକୁ ରୋକିପାରି ନାହାନ୍ତି ଭୋଗରାଇ ବିଡ଼ିଓ (BDO)। ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଅସହାୟ ବନ୍ୟାପୀଡ଼ିତଙ୍କ ପାଇଁ ସେ ନିଜେ ରୋଷେଇ କରିବା ସହ ନିଜ ହାତରେ ଖାଦ୍ୟ ପରଷିଛନ୍ତି।
ଗତ ଦୁଇ ସପ୍ତାହ ଧରି ଲଗାତାର ଲଘୁଚାପ ଜନିତ ବର୍ଷା ଏବଂ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଭୋଗରାଇ ବ୍ଲକ୍ର ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଯାଇଛି। ଲୋକଙ୍କ ଘରଦ୍ୱାର ପାଣିରେ ବୁଡ଼ି ରହିଥିବାରୁ ଶହ ଶହ ପରିବାର ରୋଷେଇ କରିବାକୁ ଅସମର୍ଥ ହୋଇ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ମୁଣ୍ଡ ଗୁଞ୍ଜିଛନ୍ତି।
ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭୋଗରାଇ ବିଡ଼ିଓ ବଡ଼ମନ୍ଦାରୁଣୀ ଗାଁର ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚିଥିଲେ।

ବିପନ୍ନଙ୍କ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ବେଳେ BDO ନିଜେ କଡ଼େଇ ଧରି ରୋଷେଇ କରିବାରେ ଲାଗିପଡ଼ିଥିଲେ। ରୋଷେଇ ଶେଷ ହେବା ପରେ ସେଠାରେ ଥିବା ବୃଦ୍ଧ, ମହିଳା ଓ ଶିଶୁମାନଙ୍କୁ ନିଜ ହାତରେ ଖାଦ୍ୟ ପରଷିଥିଲେ।
ପ୍ରଶାସନର ଏହି ଆନ୍ତରିକତା ଏବଂ ବିଡ଼ିଓଙ୍କ ଏଭଳି ସମ୍ବେଦନଶୀଳ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ଓ ବନ୍ୟାପୀଡ଼ିତମାନେ ଭୂୟସୀ ପ୍ରଶଂସା କରିଛନ୍ତି।




