ପାରଳାଖେମୁଣ୍ଡି: ଦୀର୍ଘ ୧୪ ବର୍ଷ ଧରି ବିଭିନ୍ନ ମାଓବାଦୀ ହିଂସା ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିବା ମାଓନେତା ଡୋନା କେଶବ ରାଓ ଓରଫ ଆଜାଦଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପାରଳାଖେମୁଣ୍ଡିରେ ତାଙ୍କ ବିରୋଧରେ ଥିବା ୩୬ଟି ମାମଲାର ବିଚାର ଶେଷ ହୋଇଥିବା ବେଳେ ସମସ୍ତ ମାମଲାରୁ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଶେଷ ମାମଲାରେ ମଧ୍ୟ ଅଦାଲତ ତାଙ୍କୁ ଖଲାସ କରିବା ପରେ ଜେଲ୍‌ରୁ ମୁକୁଳିବା ପାଇଁ ବାଟ ଫିଟିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡିରେ ଗଠିତ ସ୍ୱତନ୍ତ୍ର ଅଦାଲତରେ ଆଜାଦଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ବିଚାର ଚାଲିଥିଲା। ଶେଷ ମାମଲାର ରାୟ ପ୍ରକାଶ ପାଇବା ସହ ପାରଳାଖେମୁଣ୍ଡିରେ ତାଙ୍କ ବିରୋଧରେ ଥିବା ସମସ୍ତ ୩୬ଟି ମାମଲାର ବିଚାର ପ୍ରକ୍ରିୟା ଶେଷ ହୋଇଛି।

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଥିଲା ୪୯ ମାମଲା

ଆଜାଦଙ୍କ ବିରୋଧରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ମୋଟ ୪୯ଟି ମାମଲା ରହିଥିଲା। ସେଥିମଧ୍ୟରୁ ଓଡ଼ିଶାରେ ୩୭ଟି ମାମଲା ଥିବା ବେଳେ ପାରଳାଖେମୁଣ୍ଡିରେ ୩୬ଟି ଓ ରାୟଗଡ଼ାରେ ଗୋଟିଏ ମାମଲା ରହିଥିଲା। ଅବଶିଷ୍ଟ ୧୨ଟି ମାମଲା ଆନ୍ଧ୍ରପ୍ରଦେଶରେ ରହିଥିବା ଜଣାପଡ଼ିଛି।

ଗତ ୧୪ ବର୍ଷ ଧରି ଆଜାଦ ବିଭିନ୍ନ ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ରହିଥିଲେ। ଦୀର୍ଘଦିନ ଧରି ମାମଲାଗୁଡ଼ିକର ବିଚାର ଶେଷ ହୋଇପାରୁ ନଥିବାରୁ ତାଙ୍କ ଓକିଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଅଦାଲତ

ମାମଲାଗୁଡ଼ିକର ତ୍ୱରିତ ବିଚାର ପାଇଁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଅଦାଲତ ଗଠନ କରି ଏକ ବର୍ଷ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପାରଳାଖେମୁଣ୍ଡିରେ ସ୍ୱତନ୍ତ୍ର ଅଦାଲତ ଗଠନ କରାଯାଇ ଗଜପତି ଜିଲ୍ଲାରେ ଆଜାଦଙ୍କ ବିରୋଧରେ ରହିଥିବା ମାମଲାଗୁଡ଼ିକର ଶୁଣାଣି କରାଯାଇଥିଲା।

ପୂର୍ବରୁ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ଏକାଧିକ ମାମଲାରେ ଆଜାଦ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏବେ ଶେଷ ମାମଲାରେ ମଧ୍ୟ ତାଙ୍କୁ ଖଲାସ କରାଯିବା ପରେ ପାରଳାଖେମୁଣ୍ଡିର ସମସ୍ତ ୩୬ଟି ମାମଲାର ବିଚାର ଶେଷ ହୋଇଛି।

ମାଓ ହିଂସାର ଏକାଧିକ ଘଟଣାରେ ଥିଲା ଅଭିଯୋଗ

ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ଭାବେ ଆଜାଦ ପରିଚିତ ଥିଲେ। ଗଜପତି ଜିଲ୍ଲାର ବିଭିନ୍ନ ଥାନାରେ ତାଙ୍କ ନାମରେ ମାଓ ହିଂସା ସମ୍ପର୍କିତ ଏକାଧିକ ମାମଲା ରୁଜୁ ହୋଇଥିଲା। ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ବିଟ୍‌ ହାଉସ୍‌ ଉଡ଼ାଇବା, ପୁଲିସ ସହ ଗୁଳିବିନିମୟ, ଠିକାଦାର କ୍ୟାମ୍ପ୍‌ ଉପରେ ଆକ୍ରମଣ ଏବଂ ସରକାରୀ ବସ୍‌ ପୋଡ଼ିବା ଭଳି ଘଟଣାରେ ତାଙ୍କ ବିରୋଧରେ ଅଭିଯୋଗ ଥିଲା।

୨୦୧୧ ମସିହାରେ ନୟାଗଡ଼ ଜିଲ୍ଲାରେ ପୁଲିସ ଷ୍ଟେସନ୍‌ ଉପରେ ଆକ୍ରମଣ, ନିଆଁ ଲଗାଇବା ଓ ଅସ୍ତ୍ରଶସ୍ତ୍ର ଲୁଟ୍‌ ଘଟଣାରେ ଆଜାଦଙ୍କୁ ପୁଲିସ ଗିରଫ କରିଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରେ ରଖାଯାଇଥିଲା।

ଆଜାଦଙ୍କ ଓକିଲ ସ୍ୱରୂପ କୁମାର ପାଳଙ୍କ ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ଅଦାଲତରେ ତାଙ୍କ ବିରୋଧରେ ଚାଲିଥିବା ସମସ୍ତ ୩୬ଟି ମାମଲାର ଶୁଣାଣି ଶେଷ ହୋଇଛି ଏବଂ ପ୍ରତ୍ୟେକ ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହାପରେ ତାଙ୍କ ଜେଲ୍‌ରୁ ମୁକ୍ତି ପାଇଁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି।