ନୂଆଦିଲ୍ଲୀ: ଯୁଦ୍ଧ ପରିସ୍ଥିତି ଯୋଗୁଁ ବିପଜ୍ଜନକ ହୋଇପଡ଼ିଥିବା ହର୍ମୁଜ୍‌ ପ୍ରଣାଳୀ ଦେଇ ଜାହାଜ ଚଳାଇବାକୁ ୧୬ ଜଣ ଭାରତୀୟ ନାବିକ ମନା କରିଦେଇଛନ୍ତି। ଅଧିକ ବିପଦପୂର୍ଣ୍ଣ ଜଳପଥ ଦେଇ ଜାହାଜ ନେବାକୁ କମ୍ପାନି ପକ୍ଷରୁ ଚାପ ଦିଆଯାଉଥିବା ଅଭିଯୋଗ କରି ନାବିକମାନେ ଭାରତ ସରକାରଙ୍କୁ ଏସ୍‌ଓଏସ୍‌ ପଠାଇଛନ୍ତି। ନିଜ ଜୀବନକୁ ବିପଦରେ ପକାଇ ଯାତ୍ରା କରିବାକୁ ସେମାନେ ପ୍ରସ୍ତୁତ ନଥିବା ଜଣାଇଛନ୍ତି।

ହର୍ମୁଜ୍‌ ପ୍ରଣାଳୀ ବର୍ତ୍ତମାନ ଆମେରିକା-ଇରାନ ଯୁଦ୍ଧ ପରିପ୍ରେକ୍ଷିତରେ ଏକ ପ୍ରମୁଖ ବିପଦପୂର୍ଣ୍ଣ ଅଞ୍ଚଳ ପାଲଟିଛି। ବିଶ୍ୱର ବିପୁଳ ପରିମାଣର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଏହି ଜଳପଥ ଦେଇ ପରିବହନ ହୋଇଥାଏ। ଯୁଦ୍ଧ ପରିସ୍ଥିତି ଯୋଗୁଁ ବାଣିଜ୍ୟିକ ଜାହାଜ ଚଳାଚଳ ଓ ନାବିକଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।

ଏହା ସହିତ ଆକ୍ରମଣର ଆଶଙ୍କା, ଜିପିଏସ୍‌ ସିଗ୍‌ନାଲ୍‌ରେ ବାଧା ଏବଂ ଜାହାଜର ଅବସ୍ଥାନ ଚିହ୍ନଟ କରିବାରେ ସମସ୍ୟା ଭଳି ଚ୍ୟାଲେଞ୍ଜ ମଧ୍ୟ ଦେଖାଦେଉଛି।

ସୁରକ୍ଷିତ ପଥ ବଦଳରେ ହର୍ମୁଜ୍‌ ଦେଇ ଯିବାକୁ ଚାପ!

ନାବିକମାନଙ୍କ ଅଭିଯୋଗ ଅନୁଯାୟୀ, ସୁରକ୍ଷିତ ବିକଳ୍ପ ପଥ ଅପେକ୍ଷା ଶୀଘ୍ର ଗନ୍ତବ୍ୟରେ ପହଞ୍ଚିବା ପାଇଁ କମ୍ପାନି ପକ୍ଷରୁ ହର୍ମୁଜ୍‌ ପ୍ରଣାଳୀ ଦେଇ ଜାହାଜ ନେବାକୁ ଚାପ ଦିଆଯାଉଛି। ଏଭଳି ପରିସ୍ଥିତିରେ ଯାତ୍ରା କରିବା ଜୀବନକୁ ବିପଦରେ ପକାଇବା ସହ ସମାନ ବୋଲି ସେମାନେ କହିଛନ୍ତି।

ନିଜ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରି ନାବିକମାନେ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛନ୍ତି।

ନାବିକଙ୍କ ସୁରକ୍ଷା ନେଇ ପ୍ରଶ୍ନ

ଆନ୍ତର୍ଜାତିକ ନିୟମ ଅନୁସାରେ ଅତ୍ୟଧିକ ବିପଦପୂର୍ଣ୍ଣ ଅଞ୍ଚଳରେ ଜାହାଜ ଚଳାଇବା ପାଇଁ ନାବିକଙ୍କୁ ବାଧ୍ୟ କରାଯାଇପାରିବ ନାହିଁ। ତେବେ ଚାକିରି ହରାଇବା କିମ୍ବା ଭବିଷ୍ୟତରେ କାମ ନ ମିଳିବାର ଭୟରେ ଅନେକ ନାବିକ ନିଜର ଏହି ଅଧିକାର ପ୍ରୟୋଗ କରିପାରୁନଥିବା ଦାବି କରାଯାଉଛି।

୧୬ ଜଣ ଭାରତୀୟ ନାବିକଙ୍କ ଏହି ଏସ୍‌ଓଏସ୍‌ ପରେ ସେମାନଙ୍କ ସୁରକ୍ଷା ଏବଂ ନିଯୁକ୍ତିଦାତାଙ୍କ ଦାୟିତ୍ୱ ନେଇ ପ୍ରଶ୍ନ ଉଠିଛି। ନାବିକମାନଙ୍କ ଦାବି ଉପରେ ଭାରତ ସରକାର କି ପଦକ୍ଷେପ ନେଉଛନ୍ତି, ଏବେ ତାହା ଉପରେ ନଜର ରହିଛି।