ରାୟପୁର: ସ୍ୱାଧୀନତା ଦିବସରେ ଜାତୀୟ ପତାକା ବଦଳରେ ବିଜେପିର ଦଳୀୟ ପତାକା ଉଡ଼ାଯାଇଥିବା ଦାବି କରି ଏକ ପୁରୁଣା ଭିଡିଓକୁ ସୋସିଆଲ ମିଡିଆରେ ପ୍ରଚାର କରିବା ଅଭିଯୋଗରେ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ଓ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ନେହା ସିଂହ ରାଠୋରଙ୍କ ବିରୋଧରେ ଛତିଶଗଡ଼ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି। ରାୟପୁରର ସିଭିଲ୍‌ ଲାଇନ୍ସ ଥାନାରେ ମଙ୍ଗଳବାର ଏହି ମାମଲା ରୁଜୁ ହୋଇଛି। ମାମଲାରେ ‘ଜେନ୍‌ ଜେଡ୍‌ ଅଫ୍‌ ଇଣ୍ଡିଆ’ ନାମକ ଏକ ‘ଏକ୍ସ’ ଆକାଉଣ୍ଟକୁ ମଧ୍ୟ ଅଭିଯୁକ୍ତ କରାଯାଇଛି। 

ବିଜେପି ମୁଖପାତ୍ର ଉଜ୍ଜ୍ୱଳ ଦୀପକଙ୍କ ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୬(୪), ୩୫୩(୨) ଓ ୧୯୬ ଅନୁସାରେ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି। ଭୁଲ ତଥ୍ୟ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଭ୍ରମ ଓ ରାଜନୈତିକ ମତଭେଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭିଡିଓ ପ୍ରଚାର କରାଯାଇଥିବା ଅଭିଯୋଗ ହୋଇଛି। ମାମଲାର ତଦନ୍ତ ଧମତରୀ ପୁଲିସକୁ ହସ୍ତାନ୍ତର କରାଯାଇଛି। 

କେଉଁ ଭିଡିଓକୁ ନେଇ ବିବାଦ?

ବିବାଦର କେନ୍ଦ୍ରରେ ରହିଛି ବିଜେପିର ବରିଷ୍ଠ ବିଧାୟକ ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ଅଜୟ ଚନ୍ଦ୍ରାକରଙ୍କ ଏକ ଭିଡିଓ। ଧମତରୀ ଜିଲ୍ଲାର କୁରୁଦରେ ସେ ବିଜେପିର ଦଳୀୟ ପତାକା ଉଡ଼ାଉଥିବା ଦୃଶ୍ୟ ଏଥିରେ ରହିଛି। ଏହାକୁ ଅଗଷ୍ଟ ୧୫, ସ୍ୱାଧୀନତା ଦିବସର ଭିଡିଓ ବୋଲି ଦାବି କରି ସୋସିଆଲ ମିଡିଆରେ ପ୍ରଚାର କରାଯାଇଥିଲା। ସୁପ୍ରିୟା ଶ୍ରୀନେତ ଓ ନେହା ସିଂହ ରାଠୋର ମଧ୍ୟ ଏହାକୁ ନିଜ ଆକାଉଣ୍ଟରେ ସେୟାର କରି ବିଜେପି ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗ କରିଥିଲେ। 

ମାର୍ଚ୍ଚର ଭିଡିଓକୁ ଅଗଷ୍ଟ ୧୫ର ବୋଲି ଦାବି

ପରେ ଭିଡିଓଟି ସ୍ୱାଧୀନତା ଦିବସର ନୁହେଁ ବୋଲି ଜଣାପଡ଼ିଥିଲା। ରିପୋର୍ଟ ଅନୁସାରେ, ମାର୍ଚ୍ଚ ୨୨ରେ କୁରୁଦରେ ଆୟୋଜିତ ବିଜେପିର ଏକ ପ୍ରଶିକ୍ଷଣ ଶିବିରରେ ଏହି ଭିଡିଓ ରେକର୍ଡ ହୋଇଥିଲା। ସେଠାରେ ଦଳୀୟ କାର୍ଯ୍ୟକ୍ରମ ଅନୁଯାୟୀ ବିଜେପି ପତାକା ଉଡ଼ାଯାଇଥିଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି। 

ଅଜୟ ଚନ୍ଦ୍ରାକର ମଧ୍ୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁସାରେ, ଅଗଷ୍ଟ ୧୫ରେ ଧମତରୀର ଏକଲବ୍ୟ ସ୍ପୋର୍ଟସ୍‌ ଗ୍ରାଉଣ୍ଡରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ସେ ନିୟମ ଅନୁଯାୟୀ ଜାତୀୟ ପତାକା ଉଡ଼ାଇଥିଲେ। ଏବେ ପୁଲିସ ଭିଡିଓର ମୂଳ ଉତ୍ସ ଓ ଏହା ସୋସିଆଲ ମିଡିଆରେ କିପରି ପ୍ରସାରିତ ହେଲା, ତାହାର ତଦନ୍ତ କରୁଛି।