କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରୁ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଘଟଣାର ତଦନ୍ତ କରି ବିଭାଗ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ହାତୀର ଦୁଇଟି ଦାନ୍ତ ଜବତ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ମହାବିରୋଡ଼ ଥାନା ବାଘମୁଣ୍ଡା ଗାଁର ସିପୁନ ପାତ୍ର (୨୫) ଏବଂ ଟମ୍ପେଇ ଗାଁର ସନାତନ ନାଏକ (୫୦), କୁବେର ସିଂହ (୩୨) ଓ ଲକ୍ଷ୍ମୀଧର ନାଏକ (୩୯)।
ସୂଚନା ଅନୁଯାୟୀ, ଚଳିତ ମାସ ୧୦ ତାରିଖରେ ଟମ୍ପେଇ ଗାଁ ନିକଟ ଅନନ୍ତପୁର ଜଙ୍ଗଲରୁ ଏକ ଦନ୍ତାହାତୀର କଙ୍କାଳ ଠାବ ହୋଇଥିଲା। ଖବର ପାଇ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ସଞ୍ଜୟ କୁମାର ସ୍ୱାଇଁ, ଢେଙ୍କାନାଳ ଡିଏଫ୍ଓ ଲଳିତ କୁମାର ପାତ୍ର, ମହାବିରୋଡ଼ ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସମେତ ପ୍ରାଣୀ ଚିକିତ୍ସକ ଓ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ଯାଞ୍ଚ କରିଥିଲେ।
ପ୍ରାଥମିକ ଆକଳନ ଅନୁସାରେ, ହାତୀଟିର ପ୍ରାୟ ଏକ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଏହାର ବୟସ ପ୍ରାୟ ୬ରୁ ୭ ବର୍ଷ ଥିଲା। ତେବେ କଙ୍କାଳରୁ ହାତୀର ଦୁଇଟି ଦାନ୍ତ ଗାଏବ ଥିବା ଜଣାପଡ଼ିବା ପରେ ବନ ବିଭାଗ ପକ୍ଷରୁ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଥିଲା।
ତଦନ୍ତ ବେଳେ ଏହି ଘଟଣାରେ ୪ ଜଣଙ୍କ ସମ୍ପୃକ୍ତି ଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ମଙ୍ଗଳବାର ଏକ ସ୍ୱତନ୍ତ୍ର ଟିମ୍ ସେମାନଙ୍କୁ ଘରୁ ଗିରଫ କରିଥିଲା। ଜେରା ସମୟରେ ଅଭିଯୁକ୍ତମାନେ ହାତୀକୁ ମାରିନଥିବା କହିଥିବା ବନ ବିଭାଗ ସୂଚନା ଦେଇଛି।
ଅଭିଯୁକ୍ତମାନଙ୍କ କହିବା ଅନୁସାରେ, ସେମାନେ ଜଙ୍ଗଲକୁ ଛତୁ ଖୋଜିବାକୁ ଯାଇଥିବା ସମୟରେ ହାତୀଟିକୁ ମୃତ ଅବସ୍ଥାରେ ଦେଖିଥିଲେ। ପରେ ମୃତ ହାତୀର ଦୁଇଟି ଦାନ୍ତ କାଟି ନେଇ ଅନନ୍ତପୁର ଜଙ୍ଗଲରେ ଲୁଚାଇ ରଖିଥିବା ସେମାନେ ସ୍ୱୀକାର କରିଥିବା ଜଣାପଡ଼ିଛି। ସେମାନଙ୍କ ସୂଚନା ଆଧାରରେ ବନ ବିଭାଗ ଲୁଚାଇ ରଖାଯାଇଥିବା ସ୍ଥାନରୁ ଉଭୟ ହାତୀଦାନ୍ତ ଜବତ କରିଛି।
ତେବେ ହାତୀଟିର ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏ ନେଇ ତଦନ୍ତ ଜାରି ରହିଥିବା ଢେଙ୍କାନାଳ ଡିଏଫ୍ଓ ଲଳିତ କୁମାର ପାତ୍ର ବୁଧବାର କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।




