ତେହରାନ: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ମଧ୍ୟରେ ଉପସାଗରୀୟ ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛି ଇରାନ। ଆମେରିକାର ସାମରିକ ଅଭିଯାନକୁ କୌଣସି ପ୍ରକାରର ସହାୟତା କିମ୍ବା ସୁବିଧା ଯୋଗାଇଲେ, ତାହାକୁ ଇରାନ ଆମେରିକାର ସାମରିକ କାର୍ଯ୍ୟରେ ଅଂଶଗ୍ରହଣ ଭାବେ ବିବେଚନା କରିବ ଏବଂ ସମ୍ପୃକ୍ତ ଦେଶକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଛି।

ଇରାନର ସଶସ୍ତ୍ର ବାହିନୀର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଅଲି ଅବଦୋଲ୍ଲାହି ବୁଧବାର ଏହି ଚେତାବନୀ ଦେଇଥିବା ଇରାନୀ ସମ୍ବାଦ ସଂସ୍ଥା ‘ମେହର’ ରିପୋର୍ଟ କରିଛି। ଅବଦୋଲ୍ଲାହି କହିଛନ୍ତି ଯେ ଇରାନ ବିରୋଧରେ ଆମେରିକାକୁ ଯେକୌଣସି ପ୍ରକାର ସହାୟତା କିମ୍ବା ସୁବିଧା ପ୍ରଦାନ କରିବା ଆମେରିକାର ସାମରିକ ଅଭିଯାନରେ ସାମିଲ ହେବା ସହ ସମାନ।

ପାରସ୍ୟ ଉପସାଗର ସୀମାକୁ ଲାଗିଥିବା ଦେଶଗୁଡ଼ିକ ପୂର୍ବରୁ ନିଜ ଅଞ୍ଚଳକୁ ଇରାନ ବିରୋଧରେ ବ୍ୟବହାର କରିବାକୁ ଆମେରିକାକୁ ଅନୁମତି ଦେବେ ନାହିଁ ବୋଲି ବିଭିନ୍ନ ସମୟରେ ସ୍ପଷ୍ଟ କରିଛନ୍ତି। ତଥାପି ଏହି ଦେଶଗୁଡ଼ିକର ପ୍ରକୃତ କାର୍ଯ୍ୟକଳାପ ଉପରେ ଇରାନ ନଜର ରଖିଛି ବୋଲି ଅବଦୋଲ୍ଲାହି କହିଛନ୍ତି।

ଇରାନର ଏହି ଚେତାବନୀ ଫଳରେ ପାରସ୍ୟ ଉପସାଗର ଅଞ୍ଚଳରେ ଚାଲିଥିବା ସାମରିକ ତିକ୍ତତା ଆହୁରି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ବିଶେଷକରି ଆମେରିକାକୁ ନିଜ ସାମରିକ ଘାଟି, ଆକାଶସୀମା କିମ୍ବା ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଥିବା ଦେଶଗୁଡ଼ିକ ଏହି ଚେତାବନୀକୁ ଗୁରୁତ୍ୱର ସହ ନେଉଛନ୍ତି।