ଢାକା: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି)ର ବରିଷ୍ଠ ନେତା ମିର୍ଜା ଫକରୁଲ ଇସଲାମ ଆଲମଗିର ବାଂଲାଦେଶର ୨୩ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ଜାତୀୟ ସଂସଦରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ସେ ବିପକ୍ଷ ପ୍ରାର୍ଥୀ ଅବସରପ୍ରାପ୍ତ କର୍ଣ୍ଣେଲ ଓଲି ଅହମଦଙ୍କୁ ପରାସ୍ତ କରିଛନ୍ତି। ଆଲମଗିର ୨୫୫ ଭୋଟ୍ ପାଇଥିବାବେଳେ ଓଲି ଅହମଦଙ୍କୁ ୮୮ ଭୋଟ୍ ମିଳିଛି।
୩୫ ବର୍ଷ ପରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା
୧୯୯୧ ପରେ ପ୍ରଥମ ଥର ବାଂଲାଦେଶର ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତାମୂଳକ ନିର୍ବାଚନ ହୋଇଛି। ଦୀର୍ଘ ୩୫ ବର୍ଷ ପରେ ହୋଇଥିବା ଏହି ନିର୍ବାଚନରେ ବିଏନ୍ପି ପ୍ରାର୍ଥୀ ଆଲମଗିରଙ୍କ ସାମ୍ନାରେ ଜାମାତ୍ ନେତୃତ୍ୱାଧୀନ ୧୧ ଦଳୀୟ ବିରୋଧୀ ମେଣ୍ଟର ପ୍ରାର୍ଥୀ ଓଲି ଅହମଦ ଥିଲେ।
୭୮ ବର୍ଷୀୟ ଆଲମଗିର ଦୀର୍ଘଦିନ ଧରି ବିଏନ୍ପିର ପ୍ରମୁଖ ନେତା ଭାବେ ସକ୍ରିୟ ରହିଛନ୍ତି। ସେ ୨୦୧୬ରୁ ଦଳର ମହାସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ। ରାଜନୀତିକୁ ଆସିବା ପୂର୍ବରୁ ସେ ଶିକ୍ଷକତା କରିଥିବା ସହ ବିଭିନ୍ନ ସରକାରୀ ଦାୟିତ୍ୱରେ ମଧ୍ୟ ରହିଥିଲେ।
ଶୁକ୍ରବାର ଶପଥ ଗ୍ରହଣ
ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସ୍ୱାସ୍ଥ୍ୟଗତ କାରଣରୁ ଗତ ମାସରେ ପଦରୁ ଇସ୍ତଫା ଦେବା ପରେ ଏହି ନିର୍ବାଚନ ଆବଶ୍ୟକ ହୋଇଥିଲା। ତାଙ୍କ ଇସ୍ତଫା ପରେ ହାଫିଜ୍ ଉଦ୍ଦିନ ଅହମଦ କାର୍ଯ୍ୟବାହକ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଉଥିଲେ।
ନିର୍ବାଚନ ଫଳ ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ତାରେକ୍ ରହମାନ ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଲମଗିର ଅଗଷ୍ଟ ୨୧ ଶୁକ୍ରବାର ସନ୍ଧ୍ୟାରେ ବଙ୍ଗଭବନରେ ରାଷ୍ଟ୍ରପତି ଭାବେ ଶପଥ ନେବେ।




