ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୨ତମ ଜନ୍ମବାର୍ଷିକୀ ଅବସରରେ ଗୁରୁବାର ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏହି ଅବସରରେ ସେ ତାଙ୍କ ମା’ ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆଗାମୀ ସ୍ମୃତିଗ୍ରନ୍ଥ ‘ବିଲଙ୍ଗିଂ: ଏ ଜର୍ନି ଅଫ୍‌ ଲଭ୍‌’କୁ ନେଇ ମଧ୍ୟ ଭାବପ୍ରବଣ ମତ ରଖିଛନ୍ତି।

ସୋସିଆଲ ମିଡିଆ ‘ଏକ୍ସ’ରେ ରାହୁଲ କହିଛନ୍ତି ଯେ, ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ମା’ ସୋନିଆ ଗାନ୍ଧୀ ଯେଉଁ କଠିନ ସମୟ ଦେଇ ଗତି କରିଛନ୍ତି, ତାହାର ସାକ୍ଷୀ ସେ ନିଜେ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା। ସୋନିଆଙ୍କ ସଂଘର୍ଷ, ସାହସ ଓ ମର୍ଯ୍ୟାଦାକୁ ସେମାନେ ଅତି ନିକଟରୁ ଦେଖିଛନ୍ତି ବୋଲି ରାହୁଲ କହିଛନ୍ତି।

ରାହୁଲଙ୍କ କହିବା ଅନୁଯାୟୀ, ୩୫ ବର୍ଷରୁ ଅଧିକ ସମୟ ପୂର୍ବେ ସେ ଶେଷଥର ପାଇଁ ରାଜୀବ ଓ ସୋନିଆଙ୍କୁ ଏକାଠି ଦେଖିଥିଲେ। ଏହା ପରଠାରୁ ଜୀବନ ତାଙ୍କ ସମ୍ମୁଖରେ ଆଣିଥିବା ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସୋନିଆ ଅସୀମ ସାହସ ଓ ମର୍ଯ୍ୟାଦାର ସହ ସାମ୍ନା କରିଛନ୍ତି। ତାଙ୍କ ଜୀବନକାହାଣୀ ଏବେ ଲକ୍ଷ ଲକ୍ଷ ଲୋକ ପଢ଼ିପାରିବେ ବୋଲି ରାହୁଲ କହିଛନ୍ତି।

ନିଜ ବ୍ୟକ୍ତିଗତ ଜୀବନକୁ ସବୁବେଳେ ଗୋପନ ରଖିଆସିଥିବା ଜଣେ ବ୍ୟକ୍ତିଙ୍କ ପାଇଁ ନିଜ ଜୀବନ ଉପରେ ସ୍ମୃତିଗ୍ରନ୍ଥ ଲେଖିବା ସହଜ ନଥିଲା ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକକୁ ସେ ତାଙ୍କ ମା’ଙ୍କ ଜୀବନର ଏକ ସୁନ୍ଦର କାହାଣୀ ଭାବେ ଦେଖିଛନ୍ତି।

ନଭେମ୍ବରରେ ପ୍ରକାଶ ପାଇବ ସୋନିଆଙ୍କ ସ୍ମୃତିଗ୍ରନ୍ଥ

ସୋନିଆ ଗାନ୍ଧୀଙ୍କ ୫୪୪ ପୃଷ୍ଠାର ‘ବିଲଙ୍ଗିଂ: ଏ ଜର୍ନି ଅଫ୍‌ ଲଭ୍‌’ ନଭେମ୍ବର ୧୦ରେ ଆଲଫ୍ରେଡ୍‌ ଏ. ନଫ୍‌ ପକ୍ଷରୁ ପ୍ରକାଶ ପାଇବ। ଏଥିରେ ଇଟାଲୀରେ ସୋନିଆଙ୍କ ପିଲାଦିନ, ଭାରତ ଆସିବା, ରାଜୀବ ଗାନ୍ଧୀଙ୍କ ସହ ବିବାହ, ନେହରୁ-ଗାନ୍ଧୀ ପରିବାରରେ ତାଙ୍କ ଜୀବନ ଏବଂ ଭାରତର ପ୍ରାୟ ୬ ଦଶନ୍ଧିର ସାମାଜିକ ଓ ରାଜନୈତିକ ପରିବର୍ତ୍ତନର ଅନୁଭୂତି ସ୍ଥାନ ପାଇଛି।

ସୋନିଆ ଗାନ୍ଧୀ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ। ଇଂଲଣ୍ଡର କେମ୍ବ୍ରିଜ୍‌ରେ ପଢ଼ୁଥିବା ସମୟରେ ତାଙ୍କର ରାଜୀବ ଗାନ୍ଧୀଙ୍କ ସହ ପରିଚୟ ହୋଇଥିଲା। ପରେ ରାଜୀବଙ୍କ ସହ ବିବାହ ଓ ତାଙ୍କ ମୃତ୍ୟୁ ପରବର୍ତ୍ତୀ ଅନୁଭୂତି ସୋନିଆଙ୍କୁ ସାର୍ବଜନୀନ ଜୀବନ ଓ ରାଜନୀତି ଆଡ଼କୁ ନେଇଥିଲା। ନିଜ ଜୀବନର ଏହି ବ୍ୟକ୍ତିଗତ ଅନୁଭୂତିକୁ ସାର୍ବଜନୀନ କରିବା ସହଜ ନଥିଲା ବୋଲି ସୋନିଆ କହିଛନ୍ତି।