ଜୟପୁର: କୋରାପୁଟ ଜିଲ୍ଲା ପୁଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣ ଦିଗରେ ଏକ ବଡ଼ ଧରଣର ନିଷେଧାତ୍ମକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜୟପୁର ଅଞ୍ଚଳର କୁଖ୍ୟାତ ତଥା ଅଭ୍ୟାସଗତ ଅପରାଧୀ ସଞ୍ଜୟ ସୁନା ବିରୋଧରେ କଠୋର ‘ଜାତୀୟ ସୁରକ୍ଷା ଆଇନ’ ଲାଗୁ କରାଯାଇ ତାକୁ ଅଟକ ରଖାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏନ୍ଏସ୍ଏ ର ଧାରା ୩(୨) ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଗୁରୁବାର ଜୟପୁର ଟାଉନ୍ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସଡିପିଓ ଅର୍ଚ୍ଚିତା ମିତ୍ତଲ ଏହି ସୂଚନା ଦେଇଛନ୍ତି।
୧୫ ବର୍ଷରେ ୨୫ଟି ସଙ୍ଗୀନ ମାମଲା
ପୁଲିସ ସୂଚନା ଅନୁଯାୟୀ, ଦୀର୍ଘ ୧୫ ବର୍ଷ ଧରି ସଞ୍ଜୟ ସୁନା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ରହିଆସୁଥିଲା। କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ୭ଟି ଅଲଗା ଅଲଗା ଥାନାରେ ତା’ ନାମରେ ମୋଟ ୨୫ଟି ରୁଜୁ ହୋଇଥିବା ମାମଲା ରହିଛି।
- ଅପରାଧିକ ମାମଲା: ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ , ଲୁଟ୍
- ଆଇନଗତ ଧାରା: ବେଆଇନ ନିଶାକାରବାର (NDPS Act) ଏବଂ ମାରାତ୍ମକ ଅସ୍ତ୍ରଶସ୍ତ୍ର କାରବାର (Arms Act)
“ସଞ୍ଜୟ ସୁନା ଜୟପୁରର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ତା’ ନାମରେ ବିଭିନ୍ନ ଥାନାରେ ୨୫ଟି ସଙ୍ଗୀନ ମାମଲା ରହିଛି। ସେ ପୂର୍ବରୁ ଅନ୍ୟ ମାମଲାରେ ଜେଲ୍ରେ ଥିଲେ ସୁଦ୍ଧା ଦୀର୍ଘ ବର୍ଷ ଧରି ଅପରାଧ ସାମ୍ରାଜ୍ୟ ଚଳାଇ ଆସୁଥିଲା,” ବୋଲି SDPO ଅର୍ଚ୍ଚିତା ମିତ୍ତଲ କହିଛନ୍ତି।
ଏସଡିପିଓ ଆହୁରି ସ୍ପଷ୍ଟ କରିଛନ୍ତି ଯେ, NSA ହେଉଛି ଏକ ପ୍ରତିବନ୍ଧକମୂଳକ ଅଟକ ଆଇନ। ସମାଜରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଏବଂ ଭବିଷ୍ୟତରେ ଆହୁରି ଅପରାଧ ଘଟାଇବାରୁ ରୋକିବା ପାଇଁ ତାକୁ ଏହି ଆଇନ ବଳରେ ଜେଲ୍ରେ ଅଟକ ରଖାଯାଇଛି।
ଅଭ୍ୟାସଗତ ଅପରାଧୀଙ୍କୁ ବାନ୍ଧି ରଖିବା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ର ଧାରା ୧୨୯ ଅଧୀନରେ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହାସହିତ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଉଛି।




