ଭୁବନେଶ୍ୱର: ରୋଷେଇ ଘରର ଅତ୍ୟାବଶ୍ୟକ ସଉଦା ଚିନି ଦର ଏବେ ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ମାସକ ଭିତରେ ବଜାରରେ ଚିନି ଦାମ୍ କିଲୋଗ୍ରାମ ପିଛା ପ୍ରାୟ ୨୦ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ କୁଇଣ୍ଟାଲ ପିଛା ଚିନି ଦର ୩,୧୦୦ ଟଙ୍କା ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୬,୧୦୦ ଟଙ୍କାରେ ପହଞ୍ଚିଛି, ଯାହାର ପ୍ରତ୍ୟକ୍ଷ ପ୍ରଭାବ ଖୁଚୁରା ବଜାର ଉପରେ ପଡ଼ିଛି।
ବ୍ୟବସାୟୀ ସଂଘ ଅନୁସାରେ, ଓଡ଼ିଶାରେ ଚିନି ଆବଶ୍ୟକତାର ମାତ୍ର ୨ ପ୍ରତିଶତ ରାଜ୍ୟରେ ଉତ୍ପାଦିତ ହୋଇଥାଏ। ବାକି ୯୮ ପ୍ରତିଶତ ଚିନି ଅନ୍ୟ ରାଜ୍ୟରୁ ଆମଦାନୀ କରାଯାଉଛି। ଇଥାନଲ ତିଆରି ପାଇଁ ବହୁ ପରିମାଣର ଆଖୁ ବ୍ୟବହୃତ ହେଉଥିବାରୁ ବଜାରରେ ଚିନିର ଉପଲବ୍ଧତା ପ୍ରଭାବିତ ହେଉଥିବା ବ୍ୟବସାୟୀ ସଂଘର ସାଧାରଣ ସଂପାଦକ ସୂଚନା ଦେଇଛନ୍ତି।
ଆଗାମୀ ପାର୍ବଣ ଋତୁରେ କୃତ୍ରିମ ଅଭାବ ଓ ଅତିରିକ୍ତ ମହଜୁଦ ରୋକିବା ପାଇଁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କଡ଼ା ନିୟମ ଲାଗୁ କରିଛି।
ମାସକୁ ୧୦ ଟନ୍ରୁ ଅଧିକ ଚିନି ବ୍ୟବହାର କରୁଥିବା ବୃହତ୍ ଉପଭୋକ୍ତା (ଯେପରିକି ସଫ୍ଟ ଡ୍ରିଙ୍କ୍ ନିର୍ମାତା, ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା ଓ ବଡ଼ ମିଠା ବ୍ୟବସାୟୀ) ୧୫ ଦିନର ଆବଶ୍ୟକତାରୁ ଅଧିକ ଚିନି ଗଚ୍ଛିତ ରଖିପାରିବେ ନାହିଁ। ଏହି ନିୟମ ସେପ୍ଟେମ୍ବର ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ସରକାରୀ ସଂସ୍ଥାଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି।
ଚିନି ସହ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଥିବାରୁ ମୁଦ୍ରାସ୍ଫୀତି ସାଧାରଣ ଖାଉଟିଙ୍କ ବଜେଟକୁ ବିଗାଡ଼ି ଦେଇଛି।




