ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ମାଷ୍ଟର କାଣ୍ଟିନ୍ ଛକରେ ହୋଇଥିବା ହିଂସାକାଣ୍ଡ ଓ ଆନ୍ଦୋଳନ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଘଟଣା ପରଠାରୁ ଗିରଫଦାରୀ ଏଡ଼ାଇବାକୁ ଫେରାର ଥିବା ଅନଲାଇନ୍ ଅଟୋ ଆସୋସିଏସନ୍ ସଭାପତି ଦୀନବନ୍ଧୁ ନାୟକ ସାମ୍ନାକୁ ନଆସି ଏକ ୧୪ ମିନିଟ୍ର ଭିଡିଓ ବାର୍ତ୍ତା ଜାରି କରିଛନ୍ତି।
ଜାରି ହୋଇଥିବା ଏହି ଭିଡିଓ କ୍ଲିପ୍ରେ ଦୀନବନ୍ଧୁ ଉପୁଜିଥିବା ଅଶାନ୍ତ ପରିସ୍ଥିତି ଓ ବିଶୃଙ୍ଖଳା ପାଇଁ “ଗଭୀର ଦୁଃଖ” ପ୍ରକାଶ କରିବା ସହ ଜନସାଧାରଣଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଆନ୍ଦୋଳନ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ ଅଟୋ ଚାଳକଙ୍କ ଦାବିକୁ ଦୀର୍ଘ ଦିନ ଧରି ଅଣଦେଖା କରାଯାଉଥିବାରୁ ଚାଳକମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ।
ଅପରପକ୍ଷରେ, ଏହି ହିଂସାକାଣ୍ଡକୁ ନେଇ କମିଶନରେଟ୍ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଖାରବେଳନଗର ଥାନାରେ ୭ଟି FIR ରୁଜୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୧୩ ଜଣ ଅଟୋ ଚାଳକଙ୍କୁ ଗିରଫ କରାଯାଇଛି। ଏହାସହ ୩୫୪ଟି ଗାଡ଼ି ଜବତ ହୋଇଛି। ପରିବହନ ବିଭାଗ ପକ୍ଷରୁ ଗାଡ଼ି ମାଲିକଙ୍କୁ ‘କାରଣ ଦର୍ଶାଅ’ ନୋଟିସ୍ ଜାରି କରାଯାଇଛି। ନିୟମ ଭଙ୍ଗ ପାଇଁ ଗାଡ଼ିର ପଞ୍ଜୀକରଣ ଓ ପରମିଟ୍ ବାତିଲ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ଦୀନବନ୍ଧୁ ନାୟକ ନିଜେ ଏପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହାନ୍ତି। ପୁଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସମ୍ଭାବ୍ୟ ଠିକଣାରେ ଜୋରଦାର ଚଢ଼ାଉ ଜାରି ରଖିଛି।
ତାଙ୍କର ଏହି ଭିଡିଓ ବାର୍ତ୍ତା ପରେ ସରକାର ଓ ପୁଲିସ କୋମଳ ମନୋଭାବ ପୋଷଣ କରୁଛନ୍ତି ନା ଆଇନର ହାତ ତାଙ୍କ ପାଖରେ ଆଗ ପହଞ୍ଚୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।




