ଇସଲାମାବାଦ: ପାକିସ୍ତାନର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ୍-ଇ-ଇନସାଫ୍ (PTI) ସଂସ୍ଥାପକ ଇମ୍ରାନ୍ ଖାନ୍ଙ୍କୁ ଇସଲାମାବାଦର ଏକ ହସପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁଣିଥରେ ଜେଲ୍ ପଠାଇ ଦିଆଯାଇଛି। ୭୩ ବର୍ଷୀୟ ଇମ୍ରାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବୃଦ୍ଧି ପାଇବା ପରେ ସର୍ବୋଚ୍ଚ ଅଦାଲତ (ସୁପ୍ରିମ୍ କୋର୍ଟ) ତାଙ୍କୁ ଡାକ୍ତରୀ ପରୀକ୍ଷା ନିମନ୍ତେ ହସପିଟାଲ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ରାତିରେ ଅତ୍ୟନ୍ତ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ରାୱଲପିଣ୍ଡିର ଆଡିଆଲା ଜେଲ୍ରୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ପୂର୍ବରୁ ସେ ସେପ୍ଟେମ୍ବର ୧୬ ତାରିଖ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମେଡିକାଲରେ ରହି ଚିକିତ୍ସିତ ହେବେ ବୋଲି ଆଶା କରାଯାଉଥିବା ବେଳେ, ପରୀକ୍ଷା ଶେଷ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଶୁକ୍ରବାର ଭୋର ସମୟରେ ପୁଣି ଜେଲକୁ ଫେରାଇ ଅଣାଯାଇଛି। ସରକାରୀ ସୂଚନା ଅନୁସାରେ, ଡାକ୍ତରୀ ଦଳ ତାଙ୍କୁ ପରୀକ୍ଷା କରି ‘ମେଡିକାଲି ଫିଟ୍’ ଘୋଷଣା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଦୀର୍ଘ ଦିନରୁ ଆକ୍ଷି ଏବଂ ରକ୍ତଚାପ ଜନିତ ସମସ୍ୟାରେ ପୀଡ଼ିତ ଥିବା ଇମ୍ରାନ୍ ଖାନ୍ଙ୍କ ଭଉଣୀ ଉଜ୍ମା ଖାନ୍ କହିଛନ୍ତି ଯେ, କ୍ରମାଗତ ଏକାକୀ କୋଠରୀ ବନ୍ଦୀ ଯୋଗୁଁ ତାଙ୍କ ଶରୀର ଉପରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି।
ପ୍ରାରମ୍ଭିକ ଅବସ୍ଥାରେ PTI ଇମ୍ରାନ୍ଙ୍କୁ ହସପିଟାଲ ସ୍ଥାନାନ୍ତର ନିଷ୍ପତ୍ତିକୁ ସ୍ୱାଗତ କରିଥିଲା। ମାତ୍ର ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଡାକ୍ତରୀ ଚିକିତ୍ସା ସେମାନଙ୍କ ରାଜନୈତିକ ଓ ଆଇନଗତ ସଂଗ୍ରାମର ଏକ ଅଂଶ ମାତ୍ର। PTI ପୁନର୍ବାର ସ୍ୱାଧୀନ ନ୍ୟାୟିକ ପ୍ରକ୍ରିୟା ଏବଂ ନେତାଙ୍କୁ ସମ୍ପୂର୍ଣ୍ଣ ଆଇନଗତ ମୁକ୍ତି ଦାବି କରିଛି।
୨୦୨୨ ମସିହାରେ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କ୍ଷମତାଚ୍ୟୁତ ହେବା ପରେ, ଇମ୍ରାନ୍ ଖାନ୍ ୨୦୨୩ ଅଗଷ୍ଟରୁ ଜେଲ୍ଦଣ୍ଡ ଭୋଗୁଛନ୍ତି। ଜମି କାରବାର ମାମଲାରେ ତାଙ୍କୁ ୧୪ ବର୍ଷର ଜେଲ୍ଦଣ୍ଡାଦେଶ ହୋଇଛି। କୂଟନୈତିକ ଗୁପ୍ତ ତଥ୍ୟ ସାର୍ବଜନୀନ କରିବା ଅଭିଯୋଗରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ରାଜନୈତିକ କଟକଣା ଓ ଜେଲ୍ଦଣ୍ଡ ସତ୍ତ୍ୱେ, ପାକିସ୍ତାନର ଯୁବବର୍ଗ ଏବଂ ସାଧାରଣ ସମର୍ଥକଙ୍କ ଗ୍ରହଣୀୟତା ଦୃଷ୍ଟିରୁ ଇମ୍ରାନ୍ ଖାନ୍ ଏବେ ବି ଦେଶର ପ୍ରମୁଖ ରାଜନୈତିକ ଶକ୍ତି ଭାବେ ରହିଛନ୍ତି।




