ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ମହିଳା କଲ୍ୟାଣକାରୀ ଯୋଜନା ‘ସୁଭଦ୍ରା’ କୁ ନେଇ ଆସିଛି ଏକ ବଡ଼ ଖବର। ଆସନ୍ତା ଅଗଷ୍ଟ ୨୮ ତାରିଖ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ହସ୍ତାନ୍ତର କରାଯିବ। ଏନେଇ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଏହି ସହାୟତା ରାଶି ପ୍ରଦାନ ପାଇଁ ନୟାଗଡ଼ ଜିଲ୍ଲାରେ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ସମାରୋହ ଆୟୋଜନ କରାଯିବ।ଏଥିସହିତ, ପୂର୍ବରୁ କୌଣସି କାରଣରୁ ବାଦ୍ ପଡ଼ିଥିବା କିମ୍ବା ନୂତନ ଭାବେ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକାସଙ୍ଗେ ସମସ୍ତ ପାଞ୍ଚଟି କିସ୍ତିର ଟଙ୍କା (ମୋଟ ₹୨୫,୦୦୦) ପ୍ରଦାନ କରାଯିବ।ରାଜ୍ୟର ୧ କୋଟିରୁ ଅଧିକ ମହିଳା ଏହି ଯୋଜନା ଦ୍ୱାରା ଉପକୃତ ହେବେ।
କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ଆୟୋଜିତ ଏକ ପ୍ରସ୍ତୁତି ସମୀକ୍ଷା ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରସ୍ତୁତିର ତଦାରଖ କରିଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ପ୍ରକ୍ରିୟା ଶେଷ କରିବାକୁ ସେ ସମ୍ପୃକ୍ତ ଅଧିକାରୀ ଓ ବ୍ୟାଙ୍କ ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ହିତାଧିକାରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ କହିଛନ୍ତି।
ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ପାର୍ବଣ ଋତୁରେ ଅର୍ଥ ଆବଣ୍ଟନକୁ ତ୍ରୁଟିମୁକ୍ତ ଓ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ବିଭିନ୍ନ ବିଭାଗ ଏବଂ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରଖିବାକୁ କୁହାଯାଇଛି।




