ଢାକା: ୨୦୦୪ ମସିହା ଅଗଷ୍ଟ ୨୧ ତାରିଖରେ ଢାକାର ବଙ୍ଗବନ୍ଧୁ ଆଭେନ୍ୟୁଠାରେ ଆୱାମୀ ଲିଗ୍ର ଏକ ଆତଙ୍କବାଦ ବିରୋଧୀ ରାଲି ଉପରେ ହୋଇଥିବା ଭୟଙ୍କର ଗ୍ରେନେଡ୍ ଆକ୍ରମଣର ୨୨ତମ ବାର୍ଷିକୀ ଅବସରରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏହି ଘଟଣାକୁ ଦେଶର ଇତିହାସରେ ସବୁଠାରୁ “ବର୍ବର ଏବଂ ଲଜ୍ଜାଜନକ” ଅଧ୍ୟାୟ ଭାବେ ବର୍ଣ୍ଣନା କରିଛନ୍ତି।
ଆୱାମୀ ଲିଗ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ଦଳର ୨୪ ଜଣ ନେତା ଓ କାର୍ଯ୍ୟକର୍ତ୍ତା ପ୍ରାଣ ହରାଇଥିଲେ ଏବଂ ୩୦୦ ରୁ ଅଧିକ ଲୋକ ସ୍ପ୍ଲିଣ୍ଟର ଆଘାତରେ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ମହିଳା ଆୱାମୀ ଲିଗ୍ର ତତ୍କାଳୀନ ଅଧ୍ୟକ୍ଷା ତଥା ପୂର୍ବତନ ସଭାପତି ଜିଲ୍ଲୁର ରହମାନଙ୍କ ପତ୍ନୀ ଆଇଭି ରହମାନ ସାମିଲ ଥିଲେ। ସେତେବେଳେ ବିରୋଧୀ ଦଳ ନେତ୍ରୀ ଥିବା ଶେଖ୍ ହସିନା ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ତାଙ୍କ କାନରେ ଗୁରୁତର ଆଘାତ ଲାଗିଥିଲା।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଆୱାମୀ ଲିଗ୍ ଦ୍ୱାରା ଜାରି ଏକ ବିବୃତିରେ ହସିନା କହିଛନ୍ତି ଯେ, ଏହି ଆକ୍ରମଣ ବାଂଲାଦେଶର ଗଣତାନ୍ତ୍ରିକ ରାଜନୀତିକୁ ପଙ୍ଗୁ କରିବା ଏବଂ ବିରୋଧୀ ଦଳକୁ ନିଶ୍ଚିହ୍ନ କରିବା ଲକ୍ଷ୍ୟରେ କରାଯାଇଥିଲା। ତତ୍କାଳୀନ ବାଂଲାଦେଶ ନାସନାଲିଷ୍ଟ ପାର୍ଟି (BNP) ଏବଂ ଜମାତ-ଇ-ଇସଲାମି ମେଣ୍ଟ ସରକାରଙ୍କ ପ୍ରୋତ୍ସାହନରେ ଆତଙ୍କବାଦୀ ସଂଗଠନ ହରକାତ୍-ଉଲ୍-ଜିହାଦ୍ (HuJI) ଏହି ବର୍ବର କାଣ୍ଡ ଭିଆଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ସେ ଯୁବପିଢ଼ିକୁ ଇତିହାସର ନିରପେକ୍ଷ ଅଧ୍ୟୟନ କରିବାକୁ ଆହ୍ୱାନ ଦେଇ ପ୍ରଶ୍ନ କରିଛନ୍ତି ଯେ, ୧୯୭୫ ଅଗଷ୍ଟ ୧୫ରେ ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମାନ ଓ ତାଙ୍କ ପରିବାରର ହତ୍ୟା ପଛରେ କିଏ ଥିଲା? ଜେଲ୍ ଭିତରେ ୪ ଜଣ ଜାତୀୟ ନେତାଙ୍କୁ କିଏ ହତ୍ୟା କରିଥିଲା? ଏବଂ ନିଜ ସତ୍ତା କାଏମ୍ ରଖିବାକୁ ଗ୍ରେନେଡ୍ ଆକ୍ରମଣ ମାଧ୍ୟମରେ ରାଜନୈତିକ ପ୍ରତିପକ୍ଷଙ୍କୁ କିଏ ଶେଷ କରିବାକୁ ଚେଷ୍ଟା କରିଥିଲା?
୨୦୨୪ ଅଗଷ୍ଟ ୫ର ରାଜନୈତିକ ପରିବର୍ତ୍ତନ ପରେ ଦେଶରେ ସ୍ୱାଧୀନତା ବିରୋଧୀ ଶକ୍ତିମାନେ ପୁଣି ସକ୍ରିୟ ହୋଇଉଠିଛନ୍ତି ବୋଲି ହସିନା ଦାବି କରିଛନ୍ତି। ସେ କହିଛନ୍ତି ଯେ, ଆୱାମୀ ଲିଗ୍କୁ ଧ୍ୱଂସ କରିବା ଏବଂ ତାଙ୍କୁ ସମାପ୍ତ କରିବା ଏହି ଶକ୍ତିଗୁଡ଼ିକର ମୂଳ ଲକ୍ଷ୍ୟ ଥିଲା। ଏହା ସତ୍ତ୍ୱେ, ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମାନଙ୍କ ସ୍ୱପ୍ନର “ସୋନାର ବାଂଲା” – ଏକ ଧର୍ମନିରପେକ୍ଷ, ଆଧୁନିକ ଓ କଲ୍ୟାଣକାରୀ ବାଂଲାଦେଶ ଗଠନ ପାଇଁ ଆୱାମୀ ଲିଗ୍ ସମସ୍ତ ପ୍ରତିବନ୍ଧକକୁ ନେଇ ଆଗକୁ ବଢ଼ିବ ବୋଲି ସେ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି।




