ରାଞ୍ଚି: ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ବିଭିନ୍ନ ନିଯୁକ୍ତି ପରୀକ୍ଷା ବାତିଲ କରାଯିବା ନିଷ୍ପତ୍ତିକୁ ବିରୋଧ କରି ଶୁକ୍ରବାର ସଚିବାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ସଫଳ ପରୀକ୍ଷାର୍ଥୀ। ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (ଜେଏସ୍ଏସ୍ସି)ର କମ୍ବାଇନ୍ଡ ଗ୍ରାଜୁଏଟ୍ ଲେଭଲ୍ (ସିଜିଏଲ୍) ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ସମେତ ପ୍ରାୟ ୨,୭୦୦ ଜଣ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ବାତିଲ ଆଦେଶ ପ୍ରତ୍ୟାହାର ସହ ନିଯୁକ୍ତି ପ୍ରକ୍ରିୟାରେ ନ୍ୟାୟ ଦାବି କରିଛନ୍ତି ସେମାନେ।
ବିକ୍ଷୋଭକାରୀମାନେ ଆଦିବାସୀ ନେତା ବିର୍ସା ମୁଣ୍ଡା ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଫଟୋ ଥିବା ପ୍ଲାକାର୍ଡ ଧରିଥିଲେ। ଏଥିସହ ‘ନ୍ୟାୟ ଦିଅ, ନଚେତ୍ ଫାଶୀ ଦିଅ’ ଏବଂ ‘ଲଜ୍ଜା କର’ ଭଳି ସ୍ଲୋଗାନ ଦେଇଥିଲେ।
ଦେଓଘରର ବାସିନ୍ଦା ତଥା ୱେଲଫେୟାର ଅଫିସର ପଦ ପାଇଁ ଚୟନ ହୋଇଥିବା ରମେଶ ମଣ୍ଡଳ କହିଛନ୍ତି ଯେ ସେ ଅଗଷ୍ଟ ୧୯ରୁ ଆନ୍ଦୋଳନରେ ସାମିଲ ଅଛନ୍ତି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚନ୍ଦା କୁମାରୀ ନାମକ ଜଣେ ପରୀକ୍ଷାର୍ଥୀ ମଧ୍ୟ ଜେଏସ୍ଏସ୍ସି-ସିଜିଏଲ୍ ପରୀକ୍ଷା ବାତିଲ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ସରକାରଙ୍କୁ ଦାବି କରିଛନ୍ତି।
୨୨ ନିଯୁକ୍ତି ପରୀକ୍ଷା ବାତିଲ
ସୂଚନା ଅନୁସାରେ, ଅଗଷ୍ଟ ୧୮ରେ ଝାଡ଼ଖଣ୍ଡ ସରକାର ୨୨ଟି ନିଯୁକ୍ତି ପରୀକ୍ଷା ବାତିଲ କରିଥିଲେ। ଏଥିସହ ୨୦୧୪ରୁ ଝାଡ଼ଖଣ୍ଡ ଲୋକସେବା ଆୟୋଗ (ଜେପିଏସ୍ସି), ଜେଏସ୍ଏସ୍ସି ଏବଂ ଟିଡିପିଏଲ୍ ନାମକ ବାହ୍ୟ ସଂସ୍ଥା ଦ୍ୱାରା କରାଯାଇଥିବା ଆଉ ୨୩ଟି ପରୀକ୍ଷାରେ ଅନିୟମିତତା ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଓ ଅନ୍ୟାନ୍ୟ ଅଭିଯୋଗକୁ ନେଇ ଦୀର୍ଘଦିନ ଧରି ଚାକିରି ଆଶାୟୀଙ୍କ ଆନ୍ଦୋଳନ ପରେ ସରକାର ଏହି ପଦକ୍ଷେପ ନେଇଥିଲେ। ତେବେ ପରୀକ୍ଷା ବାତିଲ ହେବା ଯୋଗୁଁ ପୂର୍ବରୁ ସଫଳ ହୋଇଥିବା ଏବଂ ନିଯୁକ୍ତି ଅପେକ୍ଷାରେ ଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ହାଇକୋର୍ଟଙ୍କ ରୋକ
ଏପଟେ ଝାଡ଼ଖଣ୍ଡ ହାଇକୋର୍ଟ ବୁଧବାର ୧୧ତମ ଓ ୧୩ତମ ଜେପିଏସ୍ସି ପରୀକ୍ଷା ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀ ପରୀକ୍ଷା ମାଧ୍ୟମରେ ହୋଇଥିବା ନିଯୁକ୍ତି ବାତିଲ ସମ୍ପର୍କିତ ବିଜ୍ଞପ୍ତି ଉପରେ ରୋକ ଲଗାଇଛନ୍ତି। ତେବେ ଏହି ଅନ୍ତରୀଣ ଆଦେଶ ସରକାର ବାତିଲ କରିଥିବା ସମସ୍ତ ୨୨ଟି ନିଯୁକ୍ତି ପରୀକ୍ଷା ପାଇଁ ଲାଗୁ ହୋଇନାହିଁ।




