ବ୍ୟାଙ୍କକ୍: ମ୍ୟାମାରର କେନ୍ଦ୍ରୀୟ ସାଗାଇଂ ଅଞ୍ଚଳରେ ଏକ ବୌଦ୍ଧ ମଠ ଉପରେ ଶୁକ୍ରବାର ସକାଳେ ବିମାନ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ମଠରେ ଚାଲିଥିବା ଧ୍ୟାନ ଶିବିରରେ ଯୋଗ ଦେଇଥିବା ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସୂଚନା ମିଳିଛି।
ସାଗାଇଂ ଅଞ୍ଚଳର ମ୍ୟାଁଗ୍ ଟାଉନ୍ସିପ୍ ଅନ୍ତର୍ଗତ ସ୍ୱେଲ୍ ଲେ ଓହ ଗାଁରେ ଏହି ଘଟଣା ଘଟିଛି। ମାଣ୍ଡାଲେଠାରୁ ଏହି ଗାଁ ପ୍ରାୟ ୭୫ କିଲୋମିଟର ପଶ୍ଚିମରେ ଅବସ୍ଥିତ। ସ୍ଥାନୀୟ ଅଧିକାରୀ ଓ ବାସିନ୍ଦାଙ୍କ ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୯ଟାରେ ଆକ୍ରମଣ ହୋଇଥିଲା।
ମ୍ୟାଁଗ୍ ଟାଉନ୍ସିପ୍ର ସିଭିଲ୍ ଡିଫେନ୍ସ ଆଣ୍ଡ୍ ସିକ୍ୟୁରିଟି ଅର୍ଗାନାଇଜେସନ୍ (ସିଡିଏସ୍ଓଏମ୍)ର ମୁଖପାତ୍ର ନୱେ ଓଙ୍କ କହିବା ଅନୁଯାୟୀ, ଏକ ଯୁଦ୍ଧବିମାନ ମଠ ପରିସରକୁ ବୋମା ମାଡ଼ କରିଥିଲା। ଆକ୍ରମଣରେ ୧୪ ଜଣଙ୍କ ମୃତ୍ୟୁ ସହ ୨୦ ଜଣ ଆହତ ହୋଇଛନ୍ତି।
ସ୍ଥାନୀୟ ସୂତ୍ର ଅନୁଯାୟୀ, ମଠରେ ଏକ ସପ୍ତାହବ୍ୟାପୀ ଧ୍ୟାନ ଶିବିର ଚାଲିଥିଲା। ଏହା ସହିତ ବନ୍ୟାରେ ପ୍ରଭାବିତ ପ୍ରାୟ ୭୦ ଜଣ ଲୋକ ମଧ୍ୟ ମଠରେ ଆଶ୍ରୟ ନେଇଥିଲେ। ଆକ୍ରମଣ ସମୟରେ ଯୁଦ୍ଧବିମାନ ଦୁଇଟି ବୋମା ଫିଙ୍ଗିଥିବା ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି। ଦୁଇ ବୋମା ମଧ୍ୟରେ ପ୍ରାୟ ୧୫ ମିନିଟ୍ ବ୍ୟବଧାନ ଥିଲା।
ଦ୍ୱିତୀୟ ବୋମାଟି ମଠ ନିକଟରେ ଥିବା ଏକ ଘରକୁ ମଧ୍ୟ କ୍ଷତିଗ୍ରସ୍ତ କରିଥିଲା। ସେହି ଘରେ ଧ୍ୟାନ ଶିବିରରେ ଯୋଗଦେବା ପାଇଁ ୧୦୦ରୁ ଅଧିକ ଲୋକ ଏକାଠି ହୋଇଥିବା ଜଣାପଡ଼ିଛି। ଆକ୍ରମଣ ପରେ ମୃତକଙ୍କ ଅନ୍ତିମ ସଂସ୍କାର କରି ବଞ୍ଚିଥିବା ଲୋକେ ନିକଟସ୍ଥ ଅଞ୍ଚଳକୁ ପଳାଇଥିବା ସୂଚନା ମିଳିଛି।
୨୦୨୧ରୁ ଜାରି ରହିଛି ସଂଘର୍ଷ
୨୦୨୧ ଫେବ୍ରୁଆରିରେ ମ୍ୟାମାରରେ ସାମରିକ ଅଭ୍ୟୁତ୍ଥାନ ପରଠାରୁ ଦୀର୍ଘଦିନ ଧରି ସଶସ୍ତ୍ର ସଂଘର୍ଷ ଚାଲିଛି। ସାମରିକ ଶାସନ ବିରୋଧୀ ଗୋଷ୍ଠୀ ଓ ବିଭିନ୍ନ ଜାତିଗତ ସଶସ୍ତ୍ର ସଂଗଠନକୁ ଲକ୍ଷ୍ୟ କରି ନିୟମିତ ବିମାନ ଆକ୍ରମଣ ହେଉଥିବା ଅଭିଯୋଗ ରହିଛି। ଏହି ଆକ୍ରମଣରେ ସାଧାରଣ ଲୋକ ମଧ୍ୟ ନିହତ ହେଉଛନ୍ତି।
ମ୍ୟାମାରରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଜାରି ରହିଥିବା ନେଇ ଜାତିସଂଘର ତଦନ୍ତକାରୀମାନେ ମଧ୍ୟ ପୂର୍ବରୁ ରିପୋର୍ଟ ଦେଇଛନ୍ତି।




