ଆପ୍ ଆଧାରିତ ଯାତ୍ରୀ ସେବା ଯୋଗାଉଥିବା ଯାନଗୁଡ଼ିକ ଉପରେ ପରିବହନ ବିଭାଗ ପକ୍ଷରୁ କଡ଼ା ନିୟମାବଳୀ ପ୍ରସ୍ତୁତ କରାଯାଇଛି, ଯାହା ଆସନ୍ତା ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଓଲା, ଉବେର ଏବଂ ରାପିଡୋ ଭଳି ଏଗ୍ରିଗେଟର୍ କମ୍ପାନୀଗୁଡ଼ିକୁ ଶୃଙ୍ଖଳିତ କରିବା ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି। ଟ୍ୟାକ୍ସି ଏବଂ ଅଟୋ ରିକ୍ସା ପରେ ଏବେ ସମସ୍ତ ଆପ୍ କ୍ୟାବ୍ ପାଇଁ ଏହି କଟକଣା ବାଧ୍ୟତାମୂଳକ କରାଯାଇଛି ।
ନୂତନ ନିୟମାବଳୀର ମୁଖ୍ୟ ବିନ୍ଦୁ:
- ବାଧ୍ୟତାମୂଳକ ଲାଇସେନ୍ସ:ସମସ୍ତ ଏଗ୍ରିଗେଟର୍ କମ୍ପାନୀଗୁଡ଼ିକୁ ପରିବହନ ପ୍ରାଧିକରଣ (Transport Authority)ଠାରୁ ବୈଧ ଲାଇସେନ୍ସ ନେବାକୁ ପଡ଼ିବ ।
- ଡ୍ରାଇଭରଙ୍କ ପାଇଁ ନିୟମ:ଡ୍ରାଇଭରମାନଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ, ବ୍ୟାଚ୍ ଏବଂ ବ୍ୟବହାରିକ ସ୍ଥାନୀୟ ଭାଷାର ଜ୍ଞାନ ରହିବା ବାଧ୍ୟତାମୂଳକ ।
- ୧୫ ବର୍ଷର ବାସିନ୍ଦା ପ୍ରମାଣପତ୍ର:ବ୍ୟାଚ୍ ପାଇଁ ଆବେଦନ କରିବା ସମୟରେ ଡ୍ରାଇଭରଙ୍କୁ ସମ୍ପୃକ୍ତ ସହରର ୧୫ ବର୍ଷର ବାସିନ୍ଦା ପ୍ରମାଣପତ୍ର (Residency Certificate) ସହ ପୋଲିସ ଭେରିଫିକେସନ୍ ରିପୋର୍ଟ ଦାଖଲ କରିବାକୁ ହେବ ।
- ଜାଲ୍ କାଗଜପତ୍ର ଉପରେ କାର୍ଯ୍ୟାନୁଷ୍ଠାନ: ଜାଲ୍ କାଗଜପତ୍ର ଜରିଆରେ ଲାଇସେନ୍ସ ହାସଲ କରିଥିବା ଡ୍ରାଇଭରଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
- ଡ୍ରାଇଭିଂ ସମୟସୀମା: କୌଣସି ଡ୍ରାଇଭର କ୍ରମାଗତ ଭାବେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଗାଡ଼ି ଚଳାଇ ପାରିବେ ନାହିଁ।
- ଭଡ଼ା ଅଂଶୀଦାର (80%):ଯାତ୍ରୀ ଦେଉଥିବା ମୋଟ ଭଡ଼ାର ଅତିକମ୍ରେ ୮୦ ପ୍ରତିଶତ ଅର୍ଥ ସିଧାସଳଖ ଡ୍ରାଇଭରଙ୍କ ପାଖକୁ ଯିବ ।
- ଅନଲାଇନ୍ ନଜର ଓ ଭାଷା ସୁବିଧା:ସମସ୍ତ ଯାନଗୁଡ଼ିକର ଗତିବିଧି ଉପରେ ଅନଲାଇନ୍ ନଜର ରଖାଯିବ ।ଏହାସହିତ ଆପ୍ଗୁଡ଼ିକରେ ସ୍ଥାନୀୟ ଭାଷା ସହିତ ହିନ୍ଦୀ ଏବଂ ଇଂରାଜୀ ଭାଷାର ସୁବିଧା ଉପଲବ୍ଧ ରହିବ ।
ଏହି ନୂଆ ନିୟମ ଲାଗୁ ହେବା ଦ୍ୱାରା ଯାତ୍ରୀସେବା ଅଧିକ ସୁରକ୍ଷିତ, ସ୍ୱଚ୍ଛ ଏବଂ ଡ୍ରାଇଭରମାନଙ୍କ ପାଇଁ ଅଧିକ ଲାଭଦାୟକ ହେବ ବୋଲି ଆଶା କରାଯାଉଛି ।




