ରାଇରଙ୍ଗପୁର: ରୋଜଗାର ଆଶାରେ ହାଇଦ୍ରାବାଦ ଯାଇଥିବା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବନ୍ତଳୀ ଗ୍ରାମର ଜଣେ ୨୬ ବର୍ଷୀୟା ଆଦିବାସୀ ଯୁବତୀ ଭାରତୀ ମୁଖୀଙ୍କର ଏକ ସଡ଼କ ଦୁର୍ଘଟଣାରେ କରୁଣ ମୃତ୍ୟୁ ଘଟିଛି।ଭାରତୀ ହାଇଦ୍ରାବାଦର ଇନୋର୍ବୋର୍ଟ ମଲ୍ରେ ଥିବା ‘ଲାଇଫ୍ଷ୍ଟାଇଲ୍’ ଷ୍ଟୋରରେ ସେଲ୍ସ ଗାର୍ଲ ଭାବେ କାର୍ଯ୍ୟ କରୁଥିଲେ।
ଗତ ୧୬ ତାରିଖ ଅପରାହ୍ନରେ ଭାରତୀ ଓ ତାଙ୍କ ସହକର୍ମୀ ମଧ୍ୟାହ୍ନଭୋଜନ ସାରି ମଲ୍କୁ ଫେରୁଥିବା ସମୟରେ ଏକ ଅତି ଦ୍ରୁତଗାମୀ ବିଳାସପୂର୍ଣ୍ଣ ଆଷ୍ଟନ୍ ମାର୍ଟିନ୍ କାର୍ ତାଙ୍କୁ ସମ୍ମୁଖରୁ ପ୍ରବଳ ଧକ୍କା ଦେଇଥିଲା।ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗାଡ଼ି ଚଳାଉଥିବା ଯୁବକଜଣକ ଆନ୍ଧ୍ରପ୍ରଦେଶର ରାଜ୍ୟସଭା ସାଂସଦ ଲିଙ୍ଗମନେନି ରମେଶଙ୍କ ୨୧ ବର୍ଷୀୟ ପୁଅ ଲିଙ୍ଗମନେନି ସଞ୍ଜୁଷ ବୋଲି ଜଣାପଡ଼ିଛି।ହାଇଦ୍ରାବାଦର ମାଧାପୁର ପୁଲିସ ଅନୁଯାୟୀ, ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNS) ର ଧାରା ୧୦୬(୧) ଅଧୀନରେ ବେପରୁଆ ଗାଡ଼ି ଚାଳନା ପାଇଁ ସଞ୍ଜୁଷଙ୍କ ବିରୋଧରେ ମାମଲା ରୁଜୁ କରି ନୋଟିସ୍ ଜାରି କରିଛି।
ହାଇଦ୍ରାବାଦରୁ ଆମ୍ବୁଲାନ୍ସ ଯୋଗେ ମୃତଦେହ ବନ୍ତଳୀ ଗ୍ରାମକୁ ଅଣାଯିବା ପରେ ରାଇରଙ୍ଗପୁରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପ୍ରଥମେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏକ ରିପୋର୍ଟ ଓ ସୋସିଆଲ ମିଡିଆରେ ପ୍ରଚାର ପରେ ଏହା ଲୋକଲୋଚନକୁ ଆସିଛି।
ଏହି ଅଭାବନୀୟ ଘଟଣାକୁ ନେଇ ସମଗ୍ର ରାଇରଙ୍ଗପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣା ଭିଆଇଥିବା ସାଂସଦଙ୍କ ପୁଅ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତ ଭାରତୀଙ୍କ ଅସହାୟ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।




