ୱାଶିଂଟନ୍/ସିଓଲ: ଦକ୍ଷିଣ କୋରିଆର ଆକାଶ ମାର୍ଗୀୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆମେରିକା ସରକାର 125ନିୟୁତ ଆମେରିକୀୟ ଡଲାର ମୂଲ୍ୟର AIM-9X ସାଇଡୱିଣ୍ଡର୍ ଏୟାର-ଟୁ-ଏୟାର (ଆକାଶରୁ ଆକାଶ) ମିସାଇଲ ଏବଂ ସମ୍ପୃକ୍ତ ସାମରିକ ସରଞ୍ଜାମ ବିକ୍ରି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଏହି ବୈଦେଶିକ ସାମରିକ ବିକ୍ରୟ (FMS) ସମ୍ପର୍କରେ ଘୋଷଣା କରାଯାଇଛି, ଯାହା ଆମେରିକୀୟ କଂଗ୍ରେସର ଅନୁମୋଦନ ଅପେକ୍ଷାରେ ରହିଛି।
ଇଓନ୍ହାପ୍ ସମ୍ବାଦ ସଂସ୍ଥା ଅନୁଯାୟୀ, ଦକ୍ଷିଣ କୋରିଆ ୧୦୩ଟି AIM-9X ସାଇଡୱିଣ୍ଡର୍ ବ୍ଲକ୍ II ଟାକ୍ଟିକାଲ୍ ମିସାଇଲ୍, ୧୦ଟି ଗାଇଡାନ୍ସ ୟୁନିଟ୍ ସହ ତାଲିମ ଉପକରଣ ଏବଂ ସ୍ପେୟାର ପାର୍ଟସ କ୍ରୟ କରିବାକୁ ନିବେଦନ କରିଥିଲା।ଆମେରିକା ବୈଦେଶିକ ବିଭାଗ କହିଛି ଯେ, ଏହି ଚୁକ୍ତି ଇଣ୍ଡୋ-ପ୍ୟାସିଫିକ୍ ଅଞ୍ଚଳରେ ରାଜନୈତିକ ସ୍ଥିରତା ଓ ସୁରକ୍ଷା ବଜାୟ ରଖିବାରେ ସହାୟକ ହେବ। ଏହି ମିସାଇଲ୍ ଯୋଗାଣ ପାଇଁ ଆମେରିକାର ଭର୍ଜିନିଆସ୍ଥିତ RTX କର୍ପୋରେସନ ମୁଖ୍ୟ ଠିକାଦାର ଭାବେ କାର୍ଯ୍ୟ କରିବ।
ସାମରିକ ଅଭ୍ୟାସ ହ୍ରାସ ଓ ଶାନ୍ତି ପ୍ରଚେଷ୍ଟା
ଏହି ସାମରିକ ଚୁକ୍ତି ଏପରି ସମୟରେ ହୋଇଛି, ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଆମେରିକା ଓ ଦକ୍ଷିଣ କୋରିଆର ମିଳିତ ‘ଉଲଚି ଫ୍ରିଡମ୍ ଶିଲ୍ଡ’ ସାମରିକ ଅଭ୍ୟାସକୁ ହ୍ରାସ କରାଯାଇଛି। ଉତ୍ତର କୋରିଆ ସହ ଆଲୋଚନା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଟ୍ରମ୍ପ ଏହି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି।
ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗ୍ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ, କୋରିଆ ଉପଦ୍ୱୀପରେ ଶତ୍ରୁତା ଓ ସଂଘର୍ଷ ବଦଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଟ୍ରମ୍ପଙ୍କ ଏହି ଶାନ୍ତିପୂର୍ଣ୍ଣ ପ୍ରଚେଷ୍ଟା ଏକ ବଡ଼ ଏବଂ ସ୍ୱାଗତଯୋଗ୍ୟ ନିଷ୍ପତ୍ତି। ଏହାଦ୍ୱାରା ୱାଶିଂଟନ୍, ସିଓଲ୍ ଏବଂ ପ୍ୟୋଙ୍ଗୟାଙ୍ଗ ମଧ୍ୟରେ ପୁନର୍ବାର ଆଲୋଚନାର ପନ୍ଥା ସୁଗମ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।




