ତେନ୍ତୁଳିଖୁଣ୍ଟି: ସ୍ୱାଧୀନତାର ୮୦ ବର୍ଷ ପରେ ବି ଗାଁକୁ ପକ୍କା ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ପ୍ରାୟ ୩ କିଲୋମିଟର ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ିଛି। ଏହାପରେ ଆମ୍ବୁଲାନ୍ସରେ ହସ୍ପିଟାଲ ନେବା ବାଟରେ ହିଁ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ବରାଡ଼ାଯୋଡ଼ି ଗାଁରେ ଏଭଳି ଘଟଣା ଘଟିଛି।
ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ
ବରାଡ଼ାଯୋଡ଼ି ଗ୍ରାମର ପୂରନ ଯାନୀଙ୍କ ପତ୍ନୀ ମଇନା ଯାନୀଙ୍କୁ ଆଜି ଭୋର ସମୟରୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଆଶାକର୍ମୀ ରାଧିକା ନାୟକଙ୍କୁ ଖବର ଦେଇଥିଲେ। ଆଶାକର୍ମୀ ଗାଁରେ ପହଞ୍ଚିବା ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ।
ତେବେ ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ବରାଡ଼ାଯୋଡ଼ି ଯାଇପାରିନଥିଲା। ଏହା ଡାଇକ-୧ ଗାଁ ନିକଟରେ ଅଟକି ଯାଇଥିଲା। ଫଳରେ ପରିବାର ଲୋକ ଓ ଗ୍ରାମବାସୀ ଗର୍ଭବତୀଙ୍କୁ ଖଟିଆରେ ବୋହି ପ୍ରାୟ ୩ କିଲୋମିଟର ଦୂର ଡାଇକ-୧ ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ତେନ୍ତୁଳିଖୁଣ୍ଟି ହସ୍ପିଟାଲ ନିଆଯାଉଥିଲା।
ଅଧାବାଟରେ ଆମ୍ବୁଲାନ୍ସରେ ଜନ୍ମ ହେଲା ଶିଶୁ
ହସ୍ପିଟାଲ ଯିବା ବାଟରେ ଚିଙ୍ଗୁଡ଼ିସୋର ଗାଁ ନିକଟରେ ମଇନାଙ୍କ ପ୍ରସବ ହୋଇଥିଲା। ସେ ଆମ୍ବୁଲାନ୍ସ ଭିତରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ମା’ ଓ ନବଜାତ ଶିଶୁଙ୍କୁ ତେନ୍ତୁଳିଖୁଣ୍ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲରେ ଆବଶ୍ୟକ ଚିକିତ୍ସା ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।
ବର୍ଷ ବର୍ଷ ଧରି ରାସ୍ତାକୁ ଅପେକ୍ଷା
ବରାଡ଼ାଯୋଡ଼ି ଗାଁଠାରୁ ଡାଇକ-୧ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ଏଯାଏ ପକ୍କା ହୋଇନାହିଁ। ସେହିପରି ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗୁଡ଼ାଠାରୁ ବରାଡ଼ାଯୋଡ଼ି ପର୍ଯ୍ୟନ୍ତ ମଧ୍ୟ ପକ୍କା ରାସ୍ତା ନାହିଁ।
ଫଳରେ ଗାଁରେ କାହାର ସ୍ୱାସ୍ଥ୍ୟ ସମସ୍ୟା ହେଲେ କିମ୍ବା ଗର୍ଭବତୀଙ୍କୁ ହସ୍ପିଟାଲ ନେବା ଆବଶ୍ୟକ ହେଲେ, ଗ୍ରାମବାସୀଙ୍କୁ ଖଟିଆରେ ବୋହି ମୁଖ୍ୟ ରାସ୍ତା କିମ୍ବା ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡ଼ୁଛି। ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ଗ୍ରାମବାସୀଙ୍କ ଏଭଳି ଦୁର୍ଦ୍ଦଶା ସାମ୍ନାକୁ ଆସିବା ଗ୍ରାମୀଣ ଭିତ୍ତିଭୂମିର ଚିତ୍ରକୁ ପଦାରେ ପକାଇଛି।




