ନୀଳଗିରି: ଛୁଟି ଦିନରେ ବୁଲିବାକୁ ଆସି ବ୍ଲୁ ଲେକ୍ରେ ସେଲ୍ଫି ନେବା ଦୁଇ ଛାତ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି। ଗଛ ଉପରେ ଚଢ଼ି ସେଲ୍ଫି ନେଉଥିବା ବେଳେ ଅଥଳ ଜଳରେ ବୁଡ଼ି ଦୁଇ ଛାତ୍ର ନିଖୋଜ ହୋଇଯାଇଛନ୍ତି। ତେବେ ସେମାନଙ୍କ ସହ ଥିବା ଅନ୍ୟ ଜଣେ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନୀଳଗିରି ଥାନା ଅନ୍ତର୍ଗତ ମଛୁଆ ଗାଁର ବ୍ଲୁ ଲେକ୍ରେ ଶୁକ୍ରବାର ଏହି ଘଟଣା ଘଟିଛି।
ନିଖୋଜ ଦୁଇ ଛାତ୍ର ହେଲେ ମୟୂରଭଞ୍ଜ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ତକତପୁର ଗାଁର ଅଜିତ ପାତ୍ରଙ୍କ ପୁଅ ଭବିଷ୍ୟ ପାତ୍ର (୧୬) ଏବଂ ଭଦ୍ରକ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ଅପ୍ରତିବିନ୍ଧା ଗ୍ରାମର ଅଂଶୁମାନ ପାତ୍ର। ଭବିଷ୍ୟ ଏଫ୍ଏମ୍ କଲେଜର +୨ ବାଣିଜ୍ୟ ଛାତ୍ର ହୋଇଥିବା ବେଳେ ଅଂଶୁମାନ ମଧ୍ୟ ସମାନ କଲେଜରେ +୨ ବାଣିଜ୍ୟ ପଢ଼ୁଥିବା ଜଣାପଡ଼ିଛି।
ସେମାନଙ୍କ ସହ ଥିବା ରୋଶନ ନାୟକ (୧୬) କେନ୍ଦୁଝର ଜିଲ୍ଲା ଶୋଷ ଥାନା ଅନ୍ତର୍ଗତ ହାତୁରୀକଣା ଗାଁର ଅର୍ଜୁନ ନାୟକଙ୍କ ପୁଅ। ସେ ରେମୁଣା କଲେଜର +୨ ବିଜ୍ଞାନ ଛାତ୍ର। ବାଲେଶ୍ୱର ସହରର ତାରିଣୀ ଛକ ନିକଟରେ ଭଡ଼ା ଘରେ ରହି ସେ ପାଠ ପଢ଼ୁଥିଲେ।
ଗଛ ଉପରେ ଚଢ଼ି ସେଲ୍ଫି ନେଉଥିଲେ
କଲେଜ ଛୁଟି ଥିବାରୁ ତିନି ସାଙ୍ଗ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଏକ ମୋଟରସାଇକେଲରେ ବ୍ଲୁ ଲେକ୍ ବୁଲିବାକୁ ଆସିଥିଲେ। ଘାଟ ନିକଟରେ ଥିବା ଏକ ନିମ୍ବ ଗଛ ଉପରେ ଚଢ଼ି ଭବିଷ୍ୟ ଓ ଅଂଶୁମାନ ସେଲ୍ଫି ନେଉଥିଲେ। ଏହି ସମୟରେ ହଠାତ୍ ସେମାନେ ଗଭୀର ଜଳରେ ପଡ଼ିଯାଇଥିଲେ।
ନିକଟରେ ଥିବା ରୋଶନ ଦୁଇ ସାଙ୍ଗଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଉଭୟଙ୍କୁ ଉଦ୍ଧାର କରିପାରିନଥିଲେ। ଘଟଣା ଜଣାପଡ଼ିବା ପରେ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।
ନିଖୋଜ ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ
ଖବର ପାଇ ନୀଳଗିରି ଥାନା ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ମଧ୍ୟ ସେଠାରେ ପହଞ୍ଚି ଗଭୀର ଜଳରେ ନିଖୋଜ ଦୁଇ ଛାତ୍ରଙ୍କ ସନ୍ଧାନ ଜାରି ରଖିଛି।
ଅନ୍ୟପକ୍ଷରେ ଅଳ୍ପକେ ବର୍ତ୍ତିଯାଇଥିବା ରୋଶନ ନାୟକଙ୍କୁ ନୀଳଗିରି ଥାନାକୁ ନେଇ ପୁଲିସ ପଚରାଉଚରା କରୁଛି। ଖବର ଲେଖା ହେବା ସୁଦ୍ଧା ନିଖୋଜ ଦୁଇ ଛାତ୍ରଙ୍କ ସନ୍ଧାନ ଜାରି ରହିଥିବା ବେଳେ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଛି।




