ନୂଆଦିଲ୍ଲୀ: ଦେଶରେ ଆଉ ୧୮୦୦ କିଲୋମିଟର ଦୀର୍ଘ ଏଲ୍ପିଜି ପାଇପଲାଇନ୍ ନେଟୱର୍କ ନିର୍ମାଣ ହେବ। ତେଲେଙ୍ଗାନା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ଗୋଆକୁ ସଂଯୋଗ କରିବାକୁ ଥିବା ଏହି ପ୍ରକଳ୍ପକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (ପିଏନ୍ଜିଆର୍ବି) ମଞ୍ଜୁରି ଦେଇଛି। ପ୍ରକଳ୍ପରେ ପ୍ରାୟ ୭ ହଜାର କୋଟି ଟଙ୍କା ନିବେଶ ହେବ।
ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ କମ୍ପାନି ଗେଲ୍ ଇଣ୍ଡିଆ ଲିମିଟେଡ୍ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ। ନୂଆ ପାଇପଲାଇନ୍ ନିର୍ମାଣ ହେଲେ ଦେଶରେ ଏଲ୍ପିଜି ପାଇପଲାଇନ୍ ନେଟୱର୍କର ଲମ୍ବ ପ୍ରାୟ ୭୭୦୦ କିଲୋମିଟରରୁ ବୃଦ୍ଧି ପାଇ ୯୫୦୦ କିଲୋମିଟର ହୋଇଯିବ। ଏହା ଫଳରେ ସଡ଼କ ପଥରେ ଏଲ୍ପିଜି ପରିବହନ ଉପରେ ନିର୍ଭରଶୀଳତା କମିବ।
କେଉଁଠି ନିର୍ମାଣ ହେବ ପାଇପଲାଇନ୍?
ମଞ୍ଜୁରି ମିଳିଥିବା ପ୍ରକଳ୍ପ ଅନୁଯାୟୀ—
- ଚେର୍ଲାପାଲି–ନାଗପୁର: ତେଲେଙ୍ଗାନାର ଚେର୍ଲାପାଲିରୁ ମହାରାଷ୍ଟ୍ରର ନାଗପୁର ପର୍ଯ୍ୟନ୍ତ ୫୫୬ କିମି।
- ଝାନ୍ସୀ–ସିତାରଗଞ୍ଜ: ଉତ୍ତରପ୍ରଦେଶର ଝାନ୍ସୀରୁ ଉତ୍ତରାଖଣ୍ଡର ସିତାରଗଞ୍ଜ ପର୍ଯ୍ୟନ୍ତ ୬୧୧ କିମି।
- ଶିକ୍ରାପୁର–ଗୋଆ/ହୁବଲି: ମହାରାଷ୍ଟ୍ରର ଶିକ୍ରାପୁରରୁ ଗୋଆ ଓ କର୍ଣ୍ଣାଟକର ହୁବଲି ପର୍ଯ୍ୟନ୍ତ ୬୩୩ କିମି।
ଏହି ତିନିଟି ପାଇପଲାଇନ୍ ମାଧ୍ୟମରେ ଏଲ୍ପିଜି ପରିବହନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ଦେଶର ଏଲ୍ପିଜି ଯୋଗାଣ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବାରେ ଏହା ସହାୟକ ହେବ।




