ମନକିରା: ବର୍ଷା ହେଲେ ଶ୍ରେଣୀଗୃହ ଭିତରେ ଜମୁଛି ପାଣି। ଭଙ୍ଗା ଛାତ ଓ ଜରାଜୀର୍ଣ୍ଣ ଶ୍ରେଣୀଗୃହ ଯୋଗୁଁ ବିପଦସଙ୍କୁଳ ପରିବେଶରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଛାତ ମରାମତି ସହ ଦୁଇଟି ନୂତନ ଶ୍ରେଣୀଗୃହ ନିର୍ମାଣ ଦାବିରେ ଶନିବାର ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ। ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ସର୍ବେଜାଲ ଗାଁରେ ଦେଖିବାକୁ ମିଳିଛି।
ଶନିବାର ସକାଳୁ ସର୍ବେଜାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ଅଭିଭାବକ ଓ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ସେମାନେ ଶିକ୍ଷକମାନଙ୍କୁ ଶ୍ରେଣୀଗୃହରୁ ବାହାରକୁ ଆସିବାକୁ କହିବା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବାହାରକୁ ଆଣିଥିଲେ। ପରେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ତେବେ ପାଠପଢ଼ା ଯେପରି ବନ୍ଦ ନହୁଏ, ସେଥିପାଇଁ ସ୍କୁଲ ଗେଟ୍ ବାହାରେ ପାଲ ଟାଣି ଅସ୍ଥାୟୀ ଛାଉଣି କରିଥିଲେ ଗ୍ରାମବାସୀ। ତଳେ ଦରି ବିଛାଇ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା କରାଯାଇଥିଲା। ଶିକ୍ଷକମାନେ ମଧ୍ୟ ସେଠାରେ ପାଠ ପଢ଼ାଇଥିଲେ। ଛାତ୍ରଛାତ୍ରୀମାନେ ରାସ୍ତାକଡ଼ରେ ମଧ୍ୟାହ୍ନ ଭୋଜନ କରିଥିବା ଦେଖାଯାଇଥିଲା।
ବର୍ଷା ହେଲେ ଶ୍ରେଣୀଗୃହରେ ପାଣି
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୧୯୮୯ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି। ନିକଟରେ ଶିଶୁବାଟିକା ମଧ୍ୟ ଖୋଲାଯାଇଛି। ଶିଶୁବାଟିକାକୁ ବାଦ ଦେଲେ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ଏଠାରେ ପଢ଼ୁଛନ୍ତି।
ତେବେ ବିଦ୍ୟାଳୟର ଶ୍ରେଣୀଗୃହଗୁଡ଼ିକର ଛାତ ଅବସ୍ଥା ଦୟନୀୟ ହୋଇପଡ଼ିଛି। ବର୍ଷା ହେଲେ ଭଙ୍ଗାଫଟା ଟିଣ ଓ ଆଜବେଷ୍ଟର ଦେଇ ପାଣି ଶ୍ରେଣୀଗୃହ ଭିତରକୁ ପଶୁଛି। ଫଳରେ ଘର ଭିତରେ ପାଣି ଜମିବା ସହ ପରିବେଶ ସନ୍ତସନ୍ତିଆ ହୋଇଯାଉଛି। ଏଭଳି ପରିସ୍ଥିତିରେ ପିଲାମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ସେମାନଙ୍କ ସୁରକ୍ଷା ନେଇ ମଧ୍ୟ ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି।
ମରାମତି ପାଇଁ ମଞ୍ଜୁର ହୋଇଥିଲା ୧.୮୪ ଲକ୍ଷ
ସ୍କୁଲର ଛାତ ମରାମତି ପାଇଁ ପ୍ରାୟ ୧ ଲକ୍ଷ ୮୪ ହଜାର ଟଙ୍କା ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା। ଗତ ମାର୍ଚ୍ଚରେ ମରାମତି କାମ ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ କାମର ମାନକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ମରାମତି କାମ ନିମ୍ନମାନର ହୋଇଥିବାରୁ ସମସ୍ୟା ଦୂର ହେବା ବଦଳରେ ବର୍ଷା ସମୟରେ ଛାତରୁ ପାଣି ଝରିବା ଆହୁରି ବଢ଼ିଥିବା ଅଭିଯୋଗ ହୋଇଛି।
ଏନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ସମ୍ପୃକ୍ତ ଠିକାଦାର, ଯନ୍ତ୍ରୀ ଓ ବିଡିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।
ଦୁଇ ନୂଆ ଶ୍ରେଣୀଗୃହ ଦାବି
ବିଦ୍ୟାଳୟର ଛାତ ତୁରନ୍ତ ମରାମତି କରିବା ସହ ଆବଶ୍ୟକତା ଅନୁଯାୟୀ ଦୁଇଟି ନୂତନ ଶ୍ରେଣୀଗୃହ ନିର୍ମାଣ କରିବାକୁ ଗ୍ରାମବାସୀ ଓ ଏସ୍ଏମ୍ସି ଦାବି କରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପାଠପଢ଼ା ପରିବେଶ ଯୋଗାଇ ନଦିଆଯାଉଥିବା ପର୍ଯ୍ୟନ୍ତ ତାଲାବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଏସ୍ଏମ୍ସି ଅଧ୍ୟକ୍ଷ ସୁଶାନ୍ତ କିଷାନ କହିଛନ୍ତି।
ଏବେ ସରକାରୀ ଅନୁଦାନରେ ହୋଇଥିବା ମରାମତି କାମର ମାନ ନେଇ ଉଠିଥିବା ଅଭିଯୋଗର ତଦନ୍ତ ହେବ କି ନାହିଁ ଏବଂ ସ୍କୁଲର ଦୁର୍ବଳ ଛାତର ମରାମତି ସହ ନୂତନ ଶ୍ରେଣୀଗୃହ ନିର୍ମାଣ ଦିଗରେ ପ୍ରଶାସନ କେବେ ପଦକ୍ଷେପ ନେବ, ତାହାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ଅପେକ୍ଷା ରହିଛି।




