ସମ୍ବଲପୁର: ସମ୍ବଲପୁର-ଅନୁଗୋଳ-କଟକକୁ ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥ (NH-55)ର ଜର୍ଜର ଅବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଗୁରୁତ୍ୱପୂର୍ଣ୍ଣ ରାଜପଥର ତୁରନ୍ତ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ୍ ଗଡ଼କରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଚିଠିରେ ଦର୍ଶାଇଛନ୍ତି ଯେ, କ୍ରମାଗତ ବର୍ଷା ଏବଂ ଅତ୍ୟଧିକ ଭାରୀ ଯାନବାହନ ଚଳାଚଳ ଯୋଗୁଁ NH-55ର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାଡ଼ ସୃଷ୍ଟି ହୋଇଛି। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଯାତ୍ରୀବାହୀ ଏବଂ ପଣ୍ୟବାହୀ ଯାନବାହନ ଚଳାଚଳରେ ଗୁରୁତର ବାଧା ସୃଷ୍ଟି ହେଉଛି, ଯାହା ଗମନାଗମନକୁ ବିପଜ୍ଜନକ କରିବା ସହ ଦୁର୍ଘଟଣାର ଆଶଙ୍କାକୁ ବୃଦ୍ଧି କରୁଛି।
ଏନ୍ଏଚ୍-୫୫ ହେଉଛି ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ସହିତ ଯୋଡ଼ୁଥିବା ଏକ ପ୍ରମୁଖ ପରିବହନ କୋରିଡୋର୍। ନିତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏବଂ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଏହି ରାଜପଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ଏହାର ନିର୍ମାଣ ଓ ମରାମତି କାର୍ଯ୍ୟକୁ ପ୍ରାଥମିକତା ଆଧାରରେ ଶେଷ କରିବାକୁ ସେ ଅନୁରୋଧ କରିଛନ୍ତି।
ସେ ସୋସିଆଲ୍ ମିଡିଆ ‘X’ (ପୂର୍ବରୁ ଟ୍ୱିଟର)ରେ ମଧ୍ୟ ଲେଖିଛନ୍ତି ଯେ, ରାଜପଥରେ ସୃଷ୍ଟି ହୋଇଥିବା ଖାଲଖମା ଯୋଗୁଁ ଯାତ୍ରୀ ଓ ଗାଡ଼ି ଚାଳକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମୟସୀମା ମଧ୍ୟରେ ଏହାର ସୁଧାର ଅଣାଗଲେ ରାସ୍ତାରେ ଯାତାୟାତ ସ୍ୱାଭାବିକ ଏବଂ ସୁରକ୍ଷିତ ହୋଇପାରିବ।




