ବ୍ରସେଲ୍ସ: ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ପୁଣି ଥରେ ଆନ୍ତର୍ଜାତୀୟ ସ୍ତରରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ପାକିସ୍ତାନ ନିଜର ଆଣବିକ ଜ୍ଞାନକୌଶଳ ଓ ସମ୍ବେଦନଶୀଳ ପ୍ରଯୁକ୍ତିବିଦ୍ୟାର ବେଆଇନ କାରବାର କିମ୍ବା ଆକସ୍ମିକ ଦୁର୍ଘଟଣା ମାଧ୍ୟମରେ ଅନ୍ୟ ସଂସ୍ଥା ନିକଟକୁ ହସ୍ତାନ୍ତର କରିବାର ଆଶଙ୍କା ରହିଛି। ସାମ୍ନାକୁ ଆସିଥିବା ‘ୟୁରୋପିଆନ୍ ଟାଇମ୍ସ’ର ଏକ ରିପୋର୍ଟରେ ଏହି ବିପଦ ସମ୍ପର୍କରେ ଚେତାବନୀ ଦିଆଯାଇଛି।
ରିପୋର୍ଟ ଅନୁଯାୟୀ, ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ସାମରିକ ଦୃଷ୍ଟିକୋଣରୁ ପରିଚାଳିତ ହୋଇଆସୁଛି। ସେଠାକାର ଶକ୍ତି କିମ୍ବା ଶିଳ୍ପ ବିକାଶ ପାଇଁ ଏହାର ବ୍ୟବହାର ହେବା ପରିବର୍ତ୍ତେ, କେବଳ ସାମରିକ କ୍ଷମତା ଓ ଯୁଦ୍ଧାସ୍ତ୍ର ବୃଦ୍ଧିକୁ ଅଗ୍ରାଧିକାର ଦିଆଯାଉଛି। ‘ପରମାଣୁ ଅପ୍ରସାରଣ ଚୁକ୍ତି’ ରୁ ବାହାରେ ଥିବାରୁ ପାକିସ୍ତାନ ନିଜର ଜାତୀୟ ସୁରକ୍ଷା ଓ ପ୍ରତିରୋଧକ କ୍ଷମତା ପାଇଁ ଆଣବିକ ଅସ୍ତ୍ରଶସ୍ତ୍ରକୁ ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରିଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ପରମାଣୁ ପ୍ରଯୁକ୍ତିବିଦ୍ୟାର ଦ୍ୱିବିଧ ବ୍ୟବହାର ସମ୍ଭବ। ପାକିସ୍ତାନର ଆଣବିକ ରିଆକ୍ଟର ଏବଂ ଇନ୍ଧନ ପ୍ରକ୍ରିୟାକରଣ କେନ୍ଦ୍ରଗୁଡ଼ିକ ଏପରି ଭାବେ ପ୍ରସ୍ତୁତ କରାଯାଇଛି, ଯାହା ସହଜରେ ଯୁଦ୍ଧାସ୍ତ୍ର ନିର୍ମାଣ ପାଇଁ ବ୍ୟବହୃତ ହୋଇପାରିବ। ଏହି କାରଣରୁ ସାଧାରଣ ଶକ୍ତି ଉତ୍ପାଦନ ଏବଂ ସାମରିକ ବ୍ୟବହାର ମଧ୍ୟରେ ସୀମାରେଖା ସମ୍ପୂର୍ଣ୍ଣ ଅସ୍ପଷ୍ଟ ହୋଇପଡ଼ିଛି।
ଦେଶରେ ଗୁରୁତର ବିଦ୍ୟୁତ ସଙ୍କଟ ଥିବା ସତ୍ତ୍ୱେ ପାକିସ୍ତାନ ନିଜର ବେସାମରିକ ପରମାଣୁ କ୍ଷେତ୍ରକୁ ମଜବୁତ କରିବାରେ ବିଫଳ ହୋଇଛି। ଆଣବିକ ଶକ୍ତିକୁ ଦେଶର ବିକାଶରେ ଲଗାଇବା ପରିବର୍ତ୍ତେ ସରକାରୀ ସମ୍ବଳ ଓ ଆର୍ଥିକ ନିବେଶ କେବଳ କ୍ଷେପଣାସ୍ତ୍ର ବିକାଶ ଏବଂ ଯୁଦ୍ଧାସ୍ତ୍ର ପ୍ରସ୍ତୁତିରେ ନିୟୋଜିତ ହେଉଛି। ପାକିସ୍ତାନର ଏଭଳି ପରମାଣୁ ନୀତି ଆଞ୍ଚଳିକ ସ୍ଥିରତା ଓ ବିଶ୍ୱ ସୁରକ୍ଷା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।




