ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ମଧ୍ୟରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲି। ଆଜି ସୁଦ୍ଧା ଜିଲ୍ଲାର ୫ଟି ବ୍ଲକ୍ର ୬୬ଟି ଗ୍ରାମପଞ୍ଚାୟତ ଅଧୀନ ୨୪୪ଟି ଗାଁ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୨,୯୯,୭୮୪ ଜଣ ଲୋକ ପ୍ରଭାବିତ ହୋଇଛନ୍ତି।
ବରପଦା, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଧାମନଗର ଓ ତିହିଡ଼ି ବ୍ଲକ୍ରେ ବନ୍ୟା ପରିସ୍ଥିତିକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗକୁ ଅଧିକ ସଜାଗ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଓ ବ୍ଲକ୍ ସ୍ତରରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି-ସ୍ନେକ୍ ଭେନମ୍ (ASV), ବ୍ଲିଚିଂ ପାଉଡର, ହାଲାଜୋନ୍ ଟାବଲେଟ୍ ଓ ORS ମହଜୁଦ ରଖିବା ସହ ଆବଶ୍ୟକ ସ୍ଥଳରେ ତୁରନ୍ତ ଯୋଗାଣ ନିଶ୍ଚିତ କରିବାକୁ ସେ କହିଛନ୍ତି।
୧୬ ସାପ କାମୁଡ଼ା ମାମଲା, ୧୦୭ ଝାଡ଼ାବାନ୍ତି ଚିହ୍ନଟ
ବର୍ତ୍ତମାନ ସୁଦ୍ଧା ଭଦ୍ରକ ଜିଲ୍ଲାରେ ୧୬ଟି ସାପ କାମୁଡ଼ା ଘଟଣା ରିପୋର୍ଟ ହୋଇଛି ଏବଂ ସମସ୍ତଙ୍କୁ ଆବଶ୍ୟକ ସାପ କାମୁଡ଼ା ନିରୋଧକ ଔଷଧ ଦିଆଯାଇଛି। ସେହିପରି ୧୦୭ଟି ଝାଡ଼ାବାନ୍ତି (ADD) ମାମଲା ଚିହ୍ନଟ ହୋଇଛି। ୧୨,୭୮୬ ଜଣଙ୍କୁ ସାଧାରଣ ରୋଗ ପାଇଁ ଚିକିତ୍ସା ଯୋଗାଇ ଦିଆଯାଇଛି।
ବନ୍ୟା ପରିସ୍ଥିତିରେ ୫୫ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୧ଟି ପ୍ରସବ ସୁରକ୍ଷିତ ଭାବେ ସମ୍ପନ୍ନ ହୋଇଛି। ରୋଗ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସକ୍ରିୟ ରଖାଯାଇଛି। ଏପର୍ଯ୍ୟନ୍ତ ୨୧ଟି ରେକ୍ଟାଲ୍ ସ୍ୱାବ୍ ଏବଂ ୬୫୭ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରାଯାଇଛି।
୧୬ ମେଡିକାଲ ରିଲିଫ୍ ସେଣ୍ଟର, ୮ RRT ଓ ୧୦ MHU ନିୟୋଜିତ
ବନ୍ୟା ପ୍ରଭାବିତ ଅଞ୍ଚଳରେ ଜରୁରୀ ସ୍ୱାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଧାମନଗର, ଭଣ୍ଡାରିପୋଖରୀ, ଚାନ୍ଦବାଲି ଓ ତିହିଡ଼ି ବ୍ଲକ୍ରେ ୧୬ଟି ମେଡିକାଲ ରିଲିଫ୍ ସେଣ୍ଟର (MRC) ଖୋଲାଯାଇଛି। ଏଥିସହ ୮ଟି ରାପିଡ୍ ରେସ୍ପନ୍ସ ଟିମ୍ (RRT) ଓ ୧୦ଟି ମୋବାଇଲ୍ ହେଲ୍ଥ ୟୁନିଟ୍ (MHU) ନିୟୋଜିତ ହୋଇଛି।
ଘରକୁ ଘର ସ୍ୱାସ୍ଥ୍ୟ ସର୍ଭେଲାନ୍ସ ଜାରି ରହିଥିବା ବେଳେ ଜିଲ୍ଲା ମନିଟରିଂ ଟିମ୍ ମଧ୍ୟ ଗଠନ କରାଯାଇଛି। ଜିଲ୍ଲା ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ବନ୍ୟା ପରିସ୍ଥିତି ଓ ସ୍ୱାସ୍ଥ୍ୟସେବା ଉପରେ ନଜର ରଖାଯାଉଛି।
ମନ୍ତ୍ରୀ ଜିଲ୍ଲା ସ୍ୱାସ୍ଥ୍ୟ ଟିମ୍ର ତ୍ୱରିତ ଓ ସମନ୍ୱିତ ପଦକ୍ଷେପକୁ ପ୍ରଶଂସା କରିବା ସହ ପ୍ରଭାବିତ ଅଞ୍ଚଳରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ନିରବଚ୍ଛିନ୍ନ ରଖିବା, ସମୟୋପଯୋଗୀ ଚିକିତ୍ସା ପହଞ୍ଚାଇବା ଏବଂ ରୋଗ ନିରୀକ୍ଷଣକୁ ଆହୁରି ସୁଦୃଢ଼ କରିବା ଉପରେ ଜୋର ଦେଇଛନ୍ତି। ଜନସ୍ୱାସ୍ଥ୍ୟ ହସ୍ତକ୍ଷେପକୁ ବ୍ୟାପକ କରିବା ପାଇଁ ଜାତୀୟ ଆୟୁଷ ମିଶନ୍ ଅଧୀନରେ କାର୍ଯ୍ୟରତ ଆୟୁଷ ମେଡିକାଲ ଅଫିସରମାନଙ୍କୁ ମଧ୍ୟ ସକ୍ରିୟ ଭାବେ ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।




