ଲକ୍ଷ୍ନୌ: ରକ୍ଷାବନ୍ଧନର ସାଂସ୍କୃତିକ ଓ ସାମାଜିକ ଗୁରୁତ୍ୱକୁ ଦୋହରାଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସଂଦେଶରେ ସେ କହିଛନ୍ତି ଯେ, ରକ୍ଷାବନ୍ଧନ କେବଳ ଭାଇର ହାତରେ ବନ୍ଧାଯାଉଥିବା ସୂତା ନୁହେଁ, ବରଂ ଏହା ଭଉଣୀ ଓ ଝିଅମାନଙ୍କ ସମ୍ମାନ, ସୁରକ୍ଷା ଏବଂ ଆତ୍ମସମ୍ମାନକୁ ସୁରକ୍ଷିତ ରଖିବାର ସଂକଳ୍ପକୁ ମନେ ପକାଇଥାଏ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ପାଳିତ ହେଉଥିବା ଏହି ପର୍ବ ସନାତନ ସଂସ୍କାରର ପ୍ରତୀକ। ଶ୍ରୀକୃଷ୍ଣଙ୍କ ଅଙ୍ଗୁଳିରୁ ରକ୍ତସ୍ରାବ ଦେଖି ଦ୍ରୌପଦୀ ଲୁଗା କାନି ଚିରି ବାନ୍ଧିଥିବା ଏବଂ କୃଷ୍ଣ ସଙ୍କଟ ସମୟରେ ତାଙ୍କର ସୁରକ୍ଷା କରିଥିବା କାହାଣୀ ଏହି ପର୍ବର ପ୍ରେମ ଓ ଦାୟିତ୍ୱବୋଧକୁ ଦର୍ଶାଏ। ସେହିପରି ମା’ ଲକ୍ଷ୍ମୀ ରାଜା ବଳିଙ୍କୁ ରକ୍ଷାସୂତ୍ର ବାନ୍ଧି ନିଜର ଭାଇ କରିଥିବା ପ୍ରସଙ୍ଗ ମଧ୍ୟ ପରିବାର ଓ ସମାଜକୁ ଏକତା ସୂତ୍ରରେ ବାନ୍ଧିବାର ପ୍ରେରଣା ଦିଏ।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ସାଢ଼େ ନଅ ବର୍ଷ ମଧ୍ୟରେ ରାଜ୍ୟ ସରକାର ନାରୀ ସୁରକ୍ଷା ଓ ସ୍ୱାବଲମ୍ବନକୁ ପ୍ରାଥମିକତା ଦେଇଛନ୍ତି:

  • ମିଶନ୍ ଶକ୍ତି ଓ କନ୍ୟା ସୁମଙ୍ଗଳା ଯୋଜନା: ଝିଅମାନଙ୍କ ଶିକ୍ଷା, ସୁରକ୍ଷା ଓ ପ୍ରଗତିକୁ ତ୍ୱରାନ୍ୱିତ କରିଛି।
  • ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଓ ନିରାଶ୍ରୟା ମହିଳା ପେନ୍‌ସନ୍: ସାମାଜିକ ସୁରକ୍ଷା ପ୍ରଦାନ କରୁଛି।
  • ମହିଳା ଉଦ୍ୟମୀ କ୍ରେଡିଟ୍ କାର୍ଡ: ଆର୍ଥିକ ଆତ୍ମନିର୍ଭରଶୀଳତା ପାଇଁ ଏକ ବଡ଼ ପଦକ୍ଷେପ।

ରକ୍ଷାବନ୍ଧନ ଅବସରରେ ମହିଳାମାନଙ୍କ ସୁଗମ ଯାତାୟାତ ପାଇଁ ରାଜ୍ୟ ପରିବହନ ବସରେ ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯାଇଛି। ଏହାସହ ସୁରକ୍ଷାକର୍ମୀ, ପୁଲିସ ଓ ବିପର୍ଯ୍ୟୟ ପ୍ରଶମନ ଦଳର ସଦସ୍ୟଙ୍କୁ ରାଖୀ ବାନ୍ଧି କୃତଜ୍ଞତା ଜଣାଇବାକୁ ସେ ଆହ୍ୱାନ କରିଛନ୍ତି। ନିଜ ଅଞ୍ଚଳରେ ତିଆରି ସ୍ୱଦେଶୀ ରାଖୀ ଓ ଉପହାର କ୍ରୟ କରିବାକୁ ପରାମର୍ଶ ଦେଇ ସେ କହିଛନ୍ତି ଯେ, ଏହା ଦ୍ୱାରା ସ୍ଥାନୀୟ କାରିଗରମାନେ ପ୍ରୋତ୍ସାହିତ ହେବା ସହ ‘ଆତ୍ମନିର୍ଭର ଉତ୍ତର ପ୍ରଦେଶ’ ଗଠନର ସଂକଳ୍ପ ଆହୁରି ମଜବୁତ ହେବ।