ଭୁବନେଶ୍ୱର: ଓଡ଼ିଶା ବଜାରରେ ଏବେ ପିଆଜ ଦର ଆକାଶଛୁଆଁ ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ କିଲୋ ପିଛା ୨୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି ପାଇବା ପରେ ଏବେ ଖୁଚୁରା ବଜାରରେ ପିଆଜ କିଲୋ ୬୦ ଟଙ୍କାରେ ବିକ୍ରି ହେଉଛି। ମହାରାଷ୍ଟ୍ରର ନାସିକ୍ ଏବଂ କର୍ଣ୍ଣାଟକର ବାଙ୍ଗାଲୋରରୁ ପିଆଜ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।
ଗୋଟିଏ ମାସ ମଧ୍ୟରେ ପିଆଜର ପାଇକାରୀ ଦର କ୍ୱିଣ୍ଟାଲ ପିଛା ୨,୨୦୦ ଟଙ୍କାରୁ ବୃଦ୍ଧି ପାଇ ୪,୦୦୦ ଟଙ୍କାରେ ପହଞ୍ଚିଛି।
ରାଜ୍ୟରେ ବାର୍ଷିକ ପ୍ରାୟ ୬ ଲକ୍ଷ ଟନ୍ ପିଆଜ ଆବଶ୍ୟକ ହୋଇଥାଏ। ତେବେ ସ୍ଥାନୀୟ ଉତ୍ପାଦନ ନଗଣ୍ୟ ହୋଇଥିବାରୁ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ।
କେବଳ ଭୁବନେଶ୍ୱରରେ ଦୈନିକ ପ୍ରାୟ ୨୦୦ ଟନ୍ ପିଆଜ ବ୍ୟବହୃତ ହୁଏ। ବାହାରୁ ଆସୁଥିବା ଗାଡ଼ି ସଂଖ୍ୟା କମିଯିବାରୁ ବଜାରରେ ଅଭାବ ଦେଖାଦେଇଛି। ରାଜଧାନୀର ପାଇକାରୀ ବଜାରରେ ପିଆଜ କିଲୋ ୪୦ ଟଙ୍କା ଥିବା ବେଳେ ଖୁଚୁରା ବ୍ୟବସାୟୀମାନେ ୬୦ ଟଙ୍କାରେ ବିକ୍ରି କରୁଛନ୍ତି।
କଳାବଜାରୀ ଏବଂ କୃତ୍ରିମ ଅଭାବ ରୋକିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ କୁବେରପୁରୀ ଏବଂ ଆଇଗିଣିଆସ୍ଥିତ ଗୋଦାମଗୁଡ଼ିକରେ ଚଢ଼ାଉ ଜାରି ରହିଛି।
ବ୍ୟବସାୟୀ ସଂଘର ସୂଚନା ଅନୁଯାୟୀ, ନଭେମ୍ବର-ଡିସେମ୍ବର ମାସରେ ନାସିକ୍ରୁ ନୂଆ ପିଆଜ ଅମଳ ହୋଇ ବଜାରକୁ ନଆସିବା ପର୍ଯ୍ୟନ୍ତ ଏହି ଦରବୃଦ୍ଧି ସମସ୍ୟା ଆହୁରି ୩ ରୁ ୪ ମାସ ପର୍ଯ୍ୟନ୍ତ ବଜାୟ ରହିପାରେ। ଫଳରେ ସାଧାରଣ ଖାଉଟିଙ୍କ ରୋଷେଇ ଘର ବଜେଟ୍ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି।




