ଲକ୍ଷ୍ନୌ/ଅଯୋଧ୍ୟା: ପବିତ୍ର ଶ୍ରାବଣ ମାସରେ ପ୍ରଭୁ ଶ୍ରୀରାମଙ୍କ ନଗରୀ ଆୟୋଧ୍ୟାରେ ଆୟୋଜିତ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ମାଛ ପରସାଯିବାକୁ ନେଇ ଉତ୍ତର ପ୍ରଦେଶ ରାଜନୀତି ଗରମ ହୋଇଉଠିଛି। ଏହି ସମୟରେ ଉତ୍ତର ପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର ନିଜ ସହଯୋଗୀ ମନ୍ତ୍ରୀ ତଥା ନିଷାଦ ପାର୍ଟି ମୁଖିଆ ସଞ୍ଜୟ ନିଷାଦଙ୍କ ଏକ ବିବାଦୀୟ ବକ୍ତବ୍ୟକୁ ସମର୍ଥନ କରି ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛନ୍ତି।

ସଞ୍ଜୟ ନିଷାଦ ଦାବି କରିଥିଲେ ଯେ “ପିଆଜ ଓ ରସୁଣ ନଦେଇ ରନ୍ଧାଯାଉଥିବା ମାଛ ଶାକାହାରୀ।” ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରାଜଭର କହିଛନ୍ତି, “ଯଦି ସେ ଏହା କହୁଛନ୍ତି, ତେବେ ସେ ଠିକ୍ କହୁଛନ୍ତି। ରସୁଣ ଏବଂ ପିଆଜ ବିନା ରନ୍ଧାଗଲେ ମାଛ ଆମିଷ ନୁହେଁ ଏବଂ ଆମକୁ ଏହାକୁ ଗ୍ରହଣ କରିବାକୁ ପଡ଼ିବ।” ଏହାସହ ସେ କଂଗ୍ରେସକୁ ଘେରି ପ୍ରଶ୍ନ କରିଛନ୍ତି ଯେ କଂଗ୍ରେସ ସ୍ପଷ୍ଟ କରୁ ଯେ ଆୟୋଧ୍ୟା କାର୍ଯ୍ୟକ୍ରମରେ ରନ୍ଧାଯାଇଥିବା ମାଛରେ ପିଆଜ-ରସୁଣ ପଡ଼ିଥିଲା ନା ନାହିଁ।

ତେବେ ମାଛ କିପରି ଶାକାହାରୀ ହୋଇପାରିବ ବୋଲି ପଚରାଯିବାରୁ ରାଜଭର ନିଜ ସ୍ୱର ସାମାନ୍ୟ ବଦଳାଇ କହିଥିଲେ ଯେ ସଞ୍ଜୟ ନିଷାଦ ମାଛ ବିଷୟରେ ଜ୍ଞାନ ରଖୁଥିବାରୁ ତାଙ୍କର ଅଧିକ ଅନୁଭବ ଅଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ବିଜେପିର ମାଛ ଆହାର ଗ୍ରହଣକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ସେ କହିଛନ୍ତି ଯେ ବିଭିନ୍ନ ରାଜ୍ୟ ଓ ସଂସ୍କୃତିରେ ଖାଦ୍ୟପେୟ ଭିନ୍ନ। ବଙ୍ଗଳା କିମ୍ବା ମହାରାଷ୍ଟ୍ରର ସଂସ୍କୃତି ଉତ୍ତର ପ୍ରଦେଶ ସହ ସମାନ ହୋଇନପାରେ।

ଉତ୍ତର ପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଆୟୋଧ୍ୟାରେ ଆୟୋଜିତ ଭୋଜି ଏବେ ଏକ ବଡ଼ ରାଜନୈତିକ ବିବାଦର ରୂପ ନେଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି କଂଗ୍ରେସ ଉପରେ ବର୍ଷିବା ସହ ଶ୍ରାବଣ ମାସରେ ମାଛ ରୋଷେଇ କରି କଂଗ୍ରେସ ହିନ୍ଦୁ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ କରିଛି।

କଂଗ୍ରେସ ଏହାର କଡ଼ା ଜବାବ ଦେଇଛି। କଂଗ୍ରେସ ନେତା ପବନ ଖେଡ଼ା ଏହାକୁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ମନ୍ଦିର ଦାନ ଦୁର୍ନୀତି ଭଳି ମୂଳ ମୁଦ୍ଦାରୁ ଧ୍ୟାନ ହଟାଇବାର ପ୍ରୟାସ ବୋଲି କହିଛନ୍ତି। ଅନ୍ୟପଟେ ଅଜୟ ରାୟ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ ଯଦି ବିଜେପି ନେତାମାନେ ତାଙ୍କର ମାଛ ଖାଉଥିବାର ଗୋଟିଏ ବି ଫଟୋ ଦେଖାଇଦେବେ, ତେବେ ସେ ନିଜ ପଦବୀରୁ ଇସ୍ତଫା ଦେବେ। କାର୍ଯ୍ୟକ୍ରମର ଆୟୋଜକ ରାମ ନିହାଲ ନିଷାଦ କହିଛନ୍ତି ଯେ ମାଛ ତାଙ୍କ ସମ୍ପ୍ରଦାୟର ସଂସ୍କୃତିର ଏକ ଅଂଶ ଏବଂ ସମ୍ବିଧାନ ସମସ୍ତଙ୍କୁ ନିଜ ପସନ୍ଦର ଖାଦ୍ୟ ଖାଇବାର ଅଧିକାର ଦେଇଛି।

ବର୍ଷା ଯୋଗୁଁ ସଭା ଶେଷ ହୋଇଯାଇଥିଲେ ବି ଆୟୋଧ୍ୟାରେ ମାଛ ତରକାରୀକୁ ନେଇ ଆରମ୍ଭ ହୋଇଥିବା ଏହି ରାଜନୈତିକ ଝଡ଼ ଥମିବାର ନାଁ ନେଉନାହିଁ।