ଭୁବନେଶ୍ୱର: ରାଜ୍ୟର ମଠ, ମନ୍ଦିର ଓ ଧାର୍ମିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ, ୧୯୫୧ରେ ସଂଶୋଧନ କରାଯିବ। ଏନେଇ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକରେ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି।

ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବର୍ତ୍ତମାନ ପ୍ରଚଳିତ ଆଇନର ବିଭିନ୍ନ ଧାରା ଓ ଉପଧାରାକୁ ଯୁଗୋପଯୋଗୀ କରିବା ନେଇ ଆଲୋଚନା ହୋଇଥିଲା। ମଠ ଓ ମନ୍ଦିର ପରିଚାଳନା ପାଇଁ ସ୍ପଷ୍ଟ ଏବଂ ନିର୍ଦ୍ଦିଷ୍ଟ ନୀତି-ନିୟମ ଧାର୍ଯ୍ୟ କରାଯିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

କମିଶନରଙ୍କ କ୍ଷମତା ବୃଦ୍ଧି ସହ କ୍ୟାଡର ପୁନର୍ଗଠନ

ବୈଠକରେ ଦେବୋତ୍ତର କମିଶନର, ଅତିରିକ୍ତ କମିଶନର ଓ କ୍ଷମତାପ୍ରାପ୍ତ ଅଧିକାରୀଙ୍କ କ୍ଷମତା ନିର୍ଦ୍ଧାରଣ ସହ କ୍ୟାଡର ପୁନର୍ଗଠନ ଏବଂ ଦେବୋତ୍ତର ବିଭାଗରେ ନୂଆ ପଦବୀ ସୃଷ୍ଟି ନେଇ ମଧ୍ୟ ବିଚାରବିମର୍ଶ ହୋଇଛି।

ବୈଠକ ପରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲେ ମଠ, ମନ୍ଦିର ଓ ଅନ୍ୟ ଧାର୍ମିକ ଅନୁଷ୍ଠାନର ପ୍ରଶାସନିକ ଏବଂ ଆର୍ଥିକ ପରିଚାଳନା ଅଧିକ ସୁଦୃଢ଼ ହେବ। ଏଥିସହ ଧାର୍ମିକ ଅନୁଷ୍ଠାନଗୁଡ଼ିକର ପରିଚାଳନାରେ ଅଧିକ ସ୍ପଷ୍ଟତା ଆସିବ ବୋଲି ଆଶା କରାଯାଉଛି।

ବୈଠକରେ ଲ’ କମିଶନର ଜଷ୍ଟିସ୍‌ ବିଶ୍ୱନାଥ ରଥ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଦେବୋତ୍ତର କମିଶନର ସତ୍ୟ ନାରାୟଣ ଷଡ଼ଙ୍ଗୀ, ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ଏବଂ ଅତିରିକ୍ତ ସରକାରୀ ଅଧିବକ୍ତା ମନ୍ମୟ କୁମାର ଦାସଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।