ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ସମର୍ଥିତ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜାରଙ୍କ ହତ୍ୟାର ପ୍ରାୟ ୩ ବର୍ଷ ପରେ ଭାରତୀୟ ବଂଶୋଦ୍ଭବ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ ବୋଲି ଦାବି କରିଛି। ନିଜାର ହତ୍ୟାରେ ତା’ର ଏବଂ ତା’ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ବ୍ରାର୍ ଦାବି କରିଛି।
ବ୍ରିଟେନରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପମ୍ମାଙ୍କ ସହ ଏକ କଥିତ ଆଲୋଚନାର ଅଡିଓ ଲିକ୍ ହେବା ପରେ ବ୍ରାରଙ୍କ ଏହି ଦାବି ସାମ୍ନାକୁ ଆସିଛି। ଆଲୋଚନାରେ ବ୍ରାର୍ କହିଥିବା ଦାବି କରାଯାଉଛି ଯେ, ଡ୍ରଗ୍ସ ନେଟୱର୍କ ସହ ଜଡ଼ିତ ଏବଂ ଯୁବକମାନଙ୍କୁ ଶୋଷଣ କରୁଥିବା ଲୋକଙ୍କୁ ନିଜାର ସମର୍ଥନ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିଲା।
ବ୍ରାରଙ୍କ ଦାବି ଅନୁଯାୟୀ, ୧୬ରୁ ୧୭ ବର୍ଷ ବୟସର ଯୁବକମାନଙ୍କୁ ଡ୍ରଗ୍ସ ବିକ୍ରି ପାଇଁ ପ୍ରଲୋଭିତ କରୁଥିବା ଏବଂ ବ୍ଲାକମେଲ୍ କରି ଡ୍ରଗ୍ସ ବିକ୍ରି ଓ ଗୁପ୍ତ ସୂଚନାଦାତା ଭାବେ କାମ କରିବାକୁ ବାଧ୍ୟ କରୁଥିବା ଲୋକଙ୍କୁ ନିଜାର ସମର୍ଥନ କରୁଥିଲା। ଏହି କାରଣରୁ ତା’ର ଟିମ୍ ନିଜାରଙ୍କୁ ହତ୍ୟା କରିଥିବା ସେ ଦାବି କରିଛି।
ନିଜାର ଅବୈଧ ଅସ୍ତ୍ର କାରବାରରେ ମଧ୍ୟ ସମ୍ପୃକ୍ତ ଥିବା ବ୍ରାର୍ ଦାବି କରିଥିବା ଜଣାପଡ଼ିଛି। ତେବେ ଏହି କଥାବାର୍ତ୍ତା ସମୟରେ ବ୍ରାର୍ ନିଜେ ଡ୍ରଗ୍ସ ସମ୍ବନ୍ଧୀୟ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗକୁ ଖଣ୍ଡନ କରିଥିବା ଦାବି କରାଯାଇଛି।




