ବେଜିଂ: ଭାରତ-ଚୀନ୍ ସୀମା ପ୍ରସଙ୍ଗରେ ୨୫ତମ ସ୍ୱତନ୍ତ୍ର ପ୍ରତିନିଧି (SR) ସ୍ତରୀୟ ଆଲୋଚନାରେ ଭାଗ ନେବା ପାଇଁ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଦୁଇଦିନିଆ ଚୀନ୍ ଗସ୍ତରେ ବେଜିଂରେ ପହଞ୍ଚିଛନ୍ତି। ମଙ୍ଗଳବାର ଡୋଭାଲ ଚୀନ୍ ବିଦେଶମନ୍ତ୍ରୀ ତଥା ତାଙ୍କ ପ୍ରତିପକ୍ଷ ୱାଙ୍ଗ୍ ୟିଙ୍କ ସହ ସୀମା ପ୍ରସଙ୍ଗ ନେଇ ଆଲୋଚନା କରିବେ।

ଅରୁଣାଚଳ ପ୍ରଦେଶ ସମେତ ବିଭିନ୍ନ ସୀମା ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ମତଭେଦ ଜାରି ରହିଥିବାରୁ ଡୋଭାଲଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

୨୦୨୦ର ଗଲୱାନ୍ ସଂଘର୍ଷ ପରେ ପୂର୍ବ ଲଦାଖରେ ଦୀର୍ଘ ସମୟ ଧରି ଚାଲିଥିବା ସାମରିକ ଉତ୍ତେଜନା ଯୋଗୁଁ ଭାରତ-ଚୀନ୍ ସମ୍ପର୍କ ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ସମ୍ପର୍କକୁ ସ୍ଥିର କରିବା ପାଇଁ ଉଭୟ ପକ୍ଷ ବିଭିନ୍ନ ସ୍ତରରେ ଆଲୋଚନା ଜାରି ରଖିଛନ୍ତି।

ଚୀନ୍ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି ଯେ, ଡୋଭାଲ ଓ ୱାଙ୍ଗ୍ ୟି ସୀମା ପ୍ରଶ୍ନ ସହ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଗଭୀର ଆଲୋଚନା କରିବେ। ତାଙ୍କ ଅନୁଯାୟୀ, ସୀମା ବିବାଦ ନେଇ ଭାରତ-ଚୀନ୍ ଆଲୋଚନାର ମୁଖ୍ୟ ମାଧ୍ୟମ ହେଉଛି ସ୍ୱତନ୍ତ୍ର ପ୍ରତିନିଧି ବ୍ୟବସ୍ଥା।

ଗତବର୍ଷ ଅଗଷ୍ଟରେ ୨୪ତମ ପର୍ଯ୍ୟାୟର ଆଲୋଚନା ହୋଇଥିଲା। ଏଥିରେ ଉଭୟ ପକ୍ଷ ସୀମା ପ୍ରଶ୍ନ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ୨୫ତମ ପର୍ଯ୍ୟାୟରେ ମଧ୍ୟ ପୂର୍ବରୁ ହୋଇଥିବା ବୁଝାମଣା ଆଧାରରେ ଆଲୋଚନା ଆଗକୁ ବଢ଼ାଯିବ। ସୀମାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏହି ଆଲୋଚନାର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଚୀନ୍ ପକ୍ଷରୁ କୁହାଯାଇଛି।