ମସ୍କୋ: ରୁଷ-ୟୁକ୍ରେନ୍ ଯୁଦ୍ଧ ଭୟଙ୍କର ରୂପ ନେଉଥିବା ବେଳେ ରୁଷର କ୍ରାସ୍ନୋଦାର (Krasnodar) ସ୍ଥିତ ଆଫିପ୍‌ସ୍କି ତେଲ ବିଶୋଧନାଗାର (Afipsky Oil Refinery) ଉପରେ ୟୁକ୍ରେନ୍ ଏକ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ଏହି ହମ୍ଲା ଯୋଗୁଁ ତେଲ ବିଶୋଧନାଗାରରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଡ୍ରୋନ୍‌ର ଭଙ୍ଗା ଅଂଶ ନିକଟସ୍ଥ ଏକ ରେଳ ଷ୍ଟେସନ ଉପରେ ପଡ଼ିବାରୁ ସାଧାରଣ ନାଗରିକ କ୍ଷତିଗ୍ରସ୍ତ ହୋଇଛନ୍ତି। ମସ୍କୋର ଶକ୍ତି ଭିତ୍ତିଭୂମିକୁ ଦୁର୍ବଳ କରିବା ପାଇଁ ୟୁକ୍ରେନ୍ ତା’ର ସାମରିକ ଅଭିଯାନକୁ ଆହୁରି ଜୋରଦାର କରିଛି।

ରୁଷ ନିୟନ୍ତ୍ରଣରେ ଥିବା ୟୁରୋପର ସବୁଠାରୁ ବଡ଼ ଜାପୋରିଜିଆ ପରମାଣୁ ବିଦ୍ୟୁତ୍ କେନ୍ଦ୍ର ଉପରେ ଅନ୍ୟ ଏକ ଆକ୍ରମଣରେ ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି, ଯାହା ପରମାଣୁ ସୁରକ୍ଷାକୁ ନେଇ ପୁଣି ଚିନ୍ତା ବୃଦ୍ଧି କରିଛି। ଆସ୍ତ୍ରାଖାନର ଏକ ଗ୍ୟାସ୍ ପ୍ରୋସେସିଂ ପ୍ଲାଣ୍ଟ, ରୋସ୍ତୋଭ୍‌ରେ ଥିବା ମିଗ୍-୨୯ (MiG-29) ଯୁଦ୍ଧବିମାନ ଏବଂ ରୁଷ କବ୍‌ଜାରେ ଥିବା ଅଞ୍ଚଳଗୁଡ଼ିକରେ ଇଲେକ୍ଟ୍ରୋନିକ୍ ୱାରଫେୟାର ସିଷ୍ଟମକୁ ସଫଳତାର ସହ ଟାର୍ଗେଟ୍ କରାଯାଇଥିବା ୟୁକ୍ରେନ୍ ସେନା ଦାବି କରିଛି।

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ସେମାନେ ରାତିସାରା ୧୪୮ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଆକାଶ ମାର୍ଗରୁ ଖସାଇ ଦେଇଛନ୍ତି। ଏହାର ଜବାବରେ ଓଡେସା (Odesa) ବନ୍ଦର ନିକଟରେ ଥିବା ଏକ ମାଲବାହୀ ଜାହାଜ ଓ ଭିତ୍ତିଭୂମି ଉପରେ ଆକ୍ରମଣ କରାଯାଇଛି।

ୟୁକ୍ରେନ୍‌ର ଏହି ବାରମ୍ବାର ଡ୍ରୋନ୍ ଆକ୍ରମଣ ଯୋଗୁଁ ରୁଷରେ ଇନ୍ଧନ ସଙ୍କଟ ଦେଖାଦେଇଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ଅଧ୍ୟାଦେଶ ଜାରି କରି ସୁରକ୍ଷିତ ନଥିବା ଜରୁରୀ ସରକାରୀ ସମ୍ପତ୍ତିଗୁଡ଼ିକୁ ଅସ୍ଥାୟୀ ଭାବେ ସରକାରୀ ନିୟନ୍ତ୍ରଣକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଝେଲେନସ୍କି ଅଧିକ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ସହଯୋଗୀ ଦେଶଗୁଡ଼ିକୁ ନିବେଦନ କରିଛନ୍ତି।