କଟକ: ଐତିହାସିକ ତଥା ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାକୁ ନେଇ ଆସିଛି ବଡ଼ ଖବର। ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ଆକର୍ଷଣୀୟ ମେଳା। ବାଲିଯାତ୍ରାକୁ ଅଧିକ ବ୍ୟାପକ, ସୁବ୍ୟବସ୍ଥିତ ଓ ଆକର୍ଷଣୀୟ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ପୂର୍ବ ପରି ଏଥର ମଧ୍ୟ ମହାନଦୀ କୂଳସ୍ଥ ଉପର ପଡ଼ିଆ ଏବଂ ତଳ ପଡ଼ିଆ ଉଭୟ ସ୍ଥାନରେ ବାଲିଯାତ୍ରା ଆୟୋଜିତ ହେବ। ମେଳାକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଏବଂ ପାର୍କିଂ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଗତବର୍ଷ ତୁଳନାରେ ଏଥର ଯାନବାହନ ପାର୍କିଂ ପାଇଁ ସ୍ଥାନ ବୃଦ୍ଧି କରାଯିବ।
ଚଳିତ ବର୍ଷ ବାଲିଯାତ୍ରାର ସବୁଠାରୁ ବଡ଼ ଆକର୍ଷଣ ହେବ ମହାନଦୀରେ ଜଳକ୍ରୀଡ଼ାର ବ୍ୟବସ୍ଥା। ବାଲିଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ମହାନଦୀରେ ଜଳକ୍ରୀଡ଼ାର ମଜା ନେଇପାରିବେ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଭରପୂର ବ୍ୟବସ୍ଥା କରାଯାଉଛି। ଓଡ଼ିଶାର ପ୍ରସିଦ୍ଧ କଳାକାରଙ୍କ ସହିତ ରାଜ୍ୟ ବାହାରୁ ଆସୁଥିବା ନାମୀଦାମୀ କଳାକାରମାନେ ବାଲିଯାତ୍ରା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।
ବାଲିଯାତ୍ରାରେ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି।




