ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଏକ ଆଗାମୀ ଆନିମେସନ୍ ଫିଲ୍ମକୁ ନେଇ ବିବାଦ ତୀବ୍ର ହୋଇଛି। ଗୋବର୍ଦ୍ଧନ ପୀଠର ଶ୍ରୀମଦ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇବାକୁ ଦାବି କରିଛନ୍ତି। ଏହା ସହିତ ମୁକ୍ତିମଣ୍ଡପ ପଣ୍ଡିତ ସଭା ମଧ୍ୟ ନିଜର ଦୃଢ଼ ଆପତ୍ତି ଜଣାଇ ଗଜପତି ମହାରାଜାଙ୍କୁ ପତ୍ର ଲେଖିଛି।

ଗଜପତି ଦିବ୍ୟସିଂହ ଦେବଙ୍କୁ ଲେଖିଥିବା ଏକ ବିସ୍ତୃତ ପତ୍ରରେ ପୁରୀ ଶଙ୍କରାଚାର୍ଯ୍ୟ ଫିଲ୍ମର ବିଷୟବସ୍ତୁକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଏହି ଆନିମେସନ୍ ଚଳଚ୍ଚିତ୍ର ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ମୂଳ ତତ୍ତ୍ୱକୁ ନଷ୍ଟ କରୁଛି।

ପତ୍ରରେ ଅଭିଯୋଗ କରାଯାଇଛି ଯେ ଫିଲ୍ମରେ ମହାପ୍ରଭୁଙ୍କୁ ବିକୃତ ଏବଂ ଆପତ୍ତିଜନକ ଭାବେ ଚିତ୍ରିତ କରାଯାଇଛି, ଯାହା ଏକ କ୍ଷମାହୀନ ଅପରାଧ ଏବଂ ଆଇନଗତ ଭାବେ ଗ୍ରହଣଯୋଗ୍ୟ ନୁହେଁ।

ଶଙ୍କରାଚାର୍ଯ୍ୟ ଏହି ଆନିମେସନ୍ ଫିଲ୍ମର ରିଲିଜ୍ ଏବଂ ସମସ୍ତ ମିଡିଆ ପ୍ଲାଟଫର୍ମରେ ଏହାର ପ୍ରସାରଣକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଛନ୍ତି। ପରମ୍ପରା ଓ ଶାସ୍ତ୍ରୀୟ ବିଧି ବିରୋଧୀ କୌଣସି ବି ଚିତ୍ରଣକୁ ସହ୍ୟ କରାଯାଇପାରିବ ନାହିଁ ବୋଲି ପୀଠ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହା ସହ ଫିଲ୍ମ ଉପରେ ରହସିତାଦେଶ ଦେବାକୁ ପୂର୍ବରୁ ମନା କରିଥିବା ସୁପ୍ରିମ୍ କୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ସେ ନିବେଦନ କରିଛନ୍ତି।

ଅନ୍ୟପଟେ, ପୁରୀ ଶ୍ରୀନହରସ୍ଥିତ ଗଜପତି ମହାରାଜାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ନୋଟ୍ ଜାରି କରାଯାଇଛି। ଫିଲ୍ମରେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ କାଳ୍ପନିକ ତଥ୍ୟ ରହିଥିବା ଏବଂ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଭାବେ ଗଜପତିଙ୍କୁ ଅବଗତ କରାଯାଇଥିବା ନୋଟ୍‌ରେ ଉଲ୍ଲେଖ ରହିଛି। ଏହି ଘଟଣାକୁ ନେଇ ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ହଲଚଲ୍ ସୃଷ୍ଟି ହୋଇଛି।