ମାଲକାନଗିରି: ମାଲକାନଗିରିବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୩ରୁ ମାଲକାନଗିରିରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।
ଦୀର୍ଘଦିନ ଧରି ମାଲକାନଗିରିକୁ ରାଜ୍ୟ ଓ ଦେଶର ପ୍ରମୁଖ ସହରଗୁଡ଼ିକ ସହ ଆକାଶପଥରେ ଯୋଡ଼ିବାକୁ ଦାବି ହୋଇଆସୁଥିଲା। ବିମାନ ସେବା ଆରମ୍ଭ ହେଲେ ଜିଲ୍ଲାର ଯୋଗାଯୋଗ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବ। ବ୍ୟବସାୟୀ, ଛାତ୍ରଛାତ୍ରୀ, ରୋଗୀ, ସରକାରୀ କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଏହାର ସୁବିଧା ପାଇପାରିବେ।
ବର୍ତ୍ତମାନ ମାଲକାନଗିରିରୁ ଦୂରଦୂରାନ୍ତର ସହରକୁ ଯାତାୟାତ ପାଇଁ ଦୀର୍ଘ ସମୟ ରାସ୍ତାପଥରେ ଯାତ୍ରା କରିବାକୁ ପଡ଼ୁଛି। ବିମାନ ସେବା ଆରମ୍ଭ ହେବା ପରେ ଯାତ୍ରା ସମୟ ହ୍ରାସ ପାଇବା ସହ ଜିଲ୍ଲାର ପର୍ଯ୍ୟଟନ, ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରକୁ ମଧ୍ୟ ଏହାର ଲାଭ ମିଳିବ ବୋଲି ଆଶା କରାଯାଉଛି।
ମାଲକାନଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଳପ୍ରପାତ ଓ ଆଦିବାସୀ ସଂସ୍କୃତି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବାରୁ ବିମାନ ସେବା ଆରମ୍ଭ ପରେ ବାହାର ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାର ଆଶା ରହିଛି। ଏହା ସହ ନୂଆ ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବା ସହ ଜିଲ୍ଲାର ଅର୍ଥନୈତିକ ବିକାଶକୁ ମଧ୍ୟ ଗତି ମିଳିପାରେ।
ଟ୍ରାଏଲ୍ ରନ୍ ପରେ ବିମାନ ଉଡ଼ାଣ ଆରମ୍ଭ ନେଇ ଏକାଧିକ ଥର ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ତାହା ଘୁଞ୍ଚିଯାଇଥିଲା। ଏବେ ସେପ୍ଟେମ୍ବର ୩ରୁ ନିୟମିତ ଉଡ଼ାଣ ଆରମ୍ଭ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏଥିସହ ଖୁବଶୀଘ୍ର ଅଗ୍ରୀମ ଟିକଟ ବୁକିଂ ପାଇଁ ପୋର୍ଟାଲ୍ ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।




